ଓଡିଶା

odisha

ETV Bharat / bharat

କେଦାରନାଥ ଜଳପ୍ରଳୟକୁ ପୂରିଲା 8 ବର୍ଷ - କେଦାରନାଥ ବିପର୍ଯ୍ୟୟ

ଆଜକୁ ଆଠ ବର୍ଷ ପୂର୍ବେ କେଦାରନାଥ ଉପତ୍ୟକାରେ ଆସିଥିଲା ମହାପ୍ରଳୟ । ବାଦଲଫଟା ବର୍ଷା ଯୋଗୁଁ ମନ୍ଦାକିନୀ ନଦୀରେ ସୃଷ୍ଟି ହୋଇଥିଲା ପ୍ରଳୟଙ୍କାରୀ ବନ୍ୟା । ଏହି ଜଳ ପ୍ରଳୟରେ ପୁରା ଖିନଭିନ୍ ହୋଇଯାଇଥିଲା କେଦାରନାଥ । ଏଠାକାର ବାସିନ୍ଦାଙ୍କ ସମେତ ଦେଶ ବିଦେଶରୁ ଆସିଥିବା ବହୁସଂଖ୍ୟକ ଲୋକଙ୍କ ଚିହ୍ନବର୍ଣ୍ଣ ମାଟିରେ ମିଶି ଯାଇଥିଲା । ଅଧିକ ପଢନ୍ତୁ...

କେଦାରନାଥ ଜଳପ୍ରଳୟକୁ ପୂରିଲା 8 ବର୍ଷ
କେଦାରନାଥ ଜଳପ୍ରଳୟକୁ ପୂରିଲା 8 ବର୍ଷ

By

Published : Jun 16, 2021, 1:02 PM IST

ଡେରାଡୁନ: ଜୁନ ମାସ 2013, ଦେବଭୂମି କୁହାଯାଉଥିବା ଉତ୍ତରାଖଣ୍ଡରେ ଆସିଥିଲା ମହାପ୍ରଳୟ । ବାଦଲ ଫଟା ବର୍ଷା ଯୋଗୁଁ ଉତ୍ତରାଖଣ୍ଡ ରାଜ୍ୟର ମନ୍ଦାକିନୀ ନଦୀରେ ଭୟଙ୍କର ବନ୍ୟା ଆସିଥିଲା । ଯାହାପରେ କେଦାରନାଥର ନକ୍ସା ସମ୍ପୂର୍ଣ୍ଣ ବଦଳ ଯାଇଥିଲା । ଏଥିରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ । ଅନେକ ଲୋକ ନିଖୋଜ ମଧ୍ୟ ଥିଲେ । ଆଜି ଏହି ଜଳପ୍ରଳୟକୁ ପୁରା 8 ବର୍ଷ ପୁରୁଛି । ସମୟ ସିନା ଚାଲିଯାଇଛି, ହେଲେ ସେଦିନର ଲୋମଟାଙ୍କୁରା ଦୃଶ୍ୟ ଆଜି ବି ଲୋକଙ୍କ ମନରେ ତାଜା ରହିଛି ।

କେଦାରନାଥ ଜଳପ୍ରଳୟକୁ ପୂରିଲା 8 ବର୍ଷ

ଜୁନ 13ରୁ 17 ମଧ୍ୟରେ ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ହୋଇଥିଲା । ଏହି କାରଣରୁ ଗ୍ଲେସିୟର ତରଳି ଯାଇ ମନ୍ଦାକିନିରେ ପଡିଥିଲା । ଫଳରେ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ସୃଷ୍ଟି ହୋଇଥିଲା । ଏହି ଭୟଙ୍କର ବନ୍ୟାରେ ଭୂସ୍ଖଳନ ମଧ୍ୟ ଘଟିଥିଲା । ପ୍ରକୃତିର ଏହି ବଡ ବିପର୍ଯ୍ୟୟରେ ବାସ୍ତବରେ କେତେ ଲୋକଙ୍କ ମୃତ୍ୟୁ ଘଟିଥିଲା ତାହାର ହିସାବ କାହା ପାଖରେ ନାହିଁ । ହେଲେ ହଜାର ହଜାର ସଂଖ୍ୟକ ଜୀବନ ହାନି ଘଟିଥିବା ପୋଲିସ ରେକର୍ଡ ରହିଛି । କେଦାରନାଥଠାରେ ଘଟିଥିବା ଏହି ମହାବିପର୍ଯ୍ୟୟରେ ବହୁସଂଖ୍ୟକ ଲୋକ ବାସହୀନ ହୋଇପଡିଥିଲେ । 11 ହଜାରରୁ ଅଧିକ କୋଠା ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲା । 172ଟି ଛୋଟ ଓ ବଡ ବ୍ରିଜ ଧ୍ବଂସ ହୋଇଯାଇଥିଲା । ଶହ ଶହ କିଲୋମିଟର ରାସ୍ତା ବନ୍ଦ ହୋଇଯାଇଥିଲା । ଏଥିରେ 1308 ହେକ୍ଟର କୃଷି ଜମି ନଷ୍ଟ ହୋଇଯାଇଥିଲା । ଏହି ବିପତ୍ତିରେ କେବଳ ଭାରତର ନୁହେଁ, ବରଂ ଅନେକ ବିଦେଶୀ ମଧ୍ୟ ପ୍ରାଣ ହରାଇଥିଲେ । ବିଶେଷକରି କେଦାରଘାଟି ଅନ୍ତର୍ଗତ ଦେବଲ, ଭାନିଗ୍ରାମ, ତ୍ରିୟୁଗୀନାରାୟଣ, ଲମଗୋଣ୍ଡି ଗ୍ରାମର ପ୍ରତି ପରିବାରରୁ ଏକାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ଏହି ବିପତ୍ତି ପରେ ସରକାର ବିପନ୍ନଙ୍କୁ ସହାୟତା ଯୋଗାଇ ଥିଲେ, ମାତ୍ର ସେମାନଙ୍କ ରୋଜଗାରକୁ ନେଇ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲେ ।

କେଦାରନାଥ ଜଳପ୍ରଳୟକୁ ପୂରିଲା 8 ବର୍ଷ

କେଦାରନାଥରେ ଭୟଙ୍କର ବନ୍ୟା ପରେ ଏଠାରେ ଏକ ହେଲିକପ୍ଟର ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ବାୟୁସେନା ଯବାନଙ୍କ ସମେତ କିଛି ଯାତ୍ରୀ ପ୍ରାଣ ହରାଇଥିଲେ । ବନ୍ୟା ବିପନ୍ନଙ୍କୁ ଉଦ୍ଧାର କରିବା ସମୟରେ ବାୟୁସେନାର MI-7 ହେଲିକପ୍ଟରକୁ ମିଶାଇ ମୋଟ ତିନୋଟି ହେଲିକପ୍ଟର ଦୁର୍ଘଟଣାଗସ୍ତ ହୋଇଥିଲା । ଏଥିରେ ମୋଟ 23 ଲୋକଙ୍କ ଜୀବନ ହାନି ଘଟିଥିଲା ।

ସୂଚନାଥାଉ କି, ଜୁନ 16 ତାରିଖ କେଦାରନାଥ ପ୍ରଳୟ ପରେ ଜୁନ 19 ତାରିଖରେ କେନ୍ଦ୍ର ସରକାର ବାୟୁସେନାକୁ ଉଦ୍ଧାର କାର୍ଯ୍ୟ ଦାୟିତ୍ବ ପ୍ରଦାନ କରିଥିଲେ । ସରକାରଙ୍କ ନିର୍ଦ୍ଦେଶ ପରେ ଦୀର୍ଘ 9 ଦିନ ଯାଏଁ ବାୟୁସେନା କେଦାରନାଥ ଧାମର ପାହାଡ ଉପରେ ଉଦ୍ଧାର କାର୍ଯ୍ୟ ଜାରି ରଖି ବହୁସଂଖ୍ୟକ ଲୋକଙ୍କ ଜୀବନ ବଞ୍ଚାଇଥିଲେ । ଯେଉଁ ସମୟ ମଧ୍ୟରେ ସେନାକୁ ବଡ କ୍ଷତି ମଧ୍ୟ ସହିବାକୁ ପଡିଥିଲା ।

କେଦାରନାଥ ବିପତ୍ତିର ପ୍ରଥମ ତିନି ଚାରି ବର୍ଷ ଯାଏଁ ନେହୁର ପର୍ବତାରୋହଣ ସଂସ୍ଥାର ଟିମ୍ ଅଞ୍ଚଳରେ ପୁନଃନିର୍ମାଣ କାର୍ଯ୍ୟ କରିଥିଲେ । ଏହାପରେ ଜିନ୍ଦଲ ଗ୍ରୁପକୁ ଏହି କାର୍ଯ୍ୟ ହସ୍ତାନ୍ତର କରାଯାଇଥିଲା । ଜିନ୍ଦଲ ଏବଂ ବୁଡ ଷ୍ଟୋନ କମ୍ପାନୀ ବର୍ତ୍ତମାନ ସମୟରେ ମଧ୍ୟ ଏହି କାର୍ଯ୍ୟ ଚାଲୁ ରଖିଛନ୍ତି । ଏବେ ଏଠାରେ ତିନୋଟି ବଡ ପ୍ରକଳ୍ପ କାର୍ଯ୍ୟ ଚାଲିଛି । ଯାହାମଧ୍ୟରେ ଆଦିଗୁରୁ ଶଙ୍କରାଚାର୍ଯ୍ୟ ସମାଧି ସ୍ଥଳ, ତୀର୍ଥ ପୁରୋହିତ ଭବନ ଏବଂ ଆସ୍ଥା ପଥ ଅନ୍ତର୍ଭୁକ୍ତ ।

କେଦାରନାଥ ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆସ୍ଥା ଜଡିତ । 1980-90 ଦଶକରେ ପିଏମ ମୋଦି ଗରୁଡଚଟ୍ଟୀରେ ତପସ୍ୟା କରିଥିଲେ । ପ୍ରଧାନମନ୍ତ୍ରୀ ହେବା ପରଠୁ ମୋଦି ଏ ପର୍ଯ୍ୟନ୍ତ ତିନି ଥର କେଦାରନାଥ ପରିଦର୍ଶନ କରିଛନ୍ତି ଏବଂ ଏଠାର ତାଙ୍କର ପାଞ୍ଚଟି ଡ୍ରିମ ପ୍ରୋଜେକ୍ଟ କାର୍ଯ୍ୟ ଚାଲିଛି । ଏଥିମଧ୍ୟରୁ ଦୁଇ ପ୍ରୋଜେକ୍ଟ କାମ ଶେଷ ହୋଇଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details