ନୂଆଦିଲ୍ଲୀ:ଆଜି ଖୋଲିଛି ବହୁ ପ୍ରତୀକ୍ଷିତ କରତାରପୁର କରିଡର । ତେବେ କରିଡର ଖୋଲିବା ପରେ ଆସନ୍ତା ୧୯ ତାରିଖରେ ପାଳିତ ହେବାକୁ ଥିବା ଗୁରୁ ନାନକ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପାକିସ୍ତାନ ଅଭିମୁଖେ ଯାତ୍ରା କରିଛନ୍ତି ୮୫୫ ଶିଖ ଶ୍ରଦ୍ଧାଳୁ । ଆଜି ଏହି ପଞ୍ଜୀକୃତ ଶ୍ରଦ୍ଧାଳୁମାନେ ଭାରତ-ପାକ ସୀମାର ଓ୍ବାଘା-ଅଟ୍ଟାରୀ ପୋଷ୍ଟ ଦେଇ ପାକିସ୍ତାନକୁ ପ୍ରବେଶ କରିଛନ୍ତି । ଏହି ଯାତ୍ରାର ସମସ୍ତ ଆୟୋଜନ ଶିରୋମଣି ଗୁରୁଦ୍ବାରା ପ୍ରବନ୍ଧକ କମିଟି ଦ୍ବାରା କରାଯାଇଛି ।
ଏହି ଯାତ୍ରାରେ ସାମିଲ ହେବା ପାଇଁ ଅନେକ ଶ୍ରଦ୍ଧାଳୁ ଆବେଦନ କରିଥିବାବେଳେ ମାତ୍ର ୮୫୫ ଜଣଙ୍କୁ ଯାତ୍ରା ପାଇଁ ଭିସା ପ୍ରଦାନ କରାଯାଇଛି । ସେହିପରି ଏହି ଗସ୍ତ ଓ ପରିଭ୍ରମଣ ସମୟରେ ସେମାନେ କୋଭିଡ ଗାଇଡଲାଇନ ଅନୁପାଳନ କରିବା ସହ ପାକିସ୍ତାନର ଏକାଧିକ ଗୁରୁଦ୍ବାରା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରଖାଯାଇଛି । ଏମାନଙ୍କୁ ଜାରି କରାଯାଇଥିବା ଭିସାର ଅବଧି ଅନୁସାରେ ଏମାନେ ୨୬ ତାରିଖରେ ଭାରତକୁ ଫେରିବେ ।