ଓଡିଶା

odisha

କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ସୁରକ୍ଷା ବଳରେ ଖାଲିଥିବା 84 ହଜାର ପଦବୀ ପୂରଣ ହେବ

By

Published : Aug 2, 2022, 5:39 PM IST

କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ସୁରକ୍ଷା ବଳ ଓ ଆସାମ ରାଇଫଲ୍ସରେ ଖାଲି ପଡିଛି 84,659 ପଦବୀ । ଆସନ୍ତାବର୍ଷ ଶେଷ ସୁଦ୍ଧା ଭର୍ତ୍ତି ସାରିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିସାରିଥିବା ଗୃହରେ ସୂଚନା ଦେଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ । ଅଧିକ ପଢନ୍ତୁ

କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ସୁରକ୍ଷା ବଳ ଓ ଆସାମ ରାଇଫଲ୍ସରେ 84 ହଜାର ପଦବୀ ଖାଲି, ୨୦୨୩ ସୁଦ୍ଧା ହେବ ପୂରଣ
କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ସୁରକ୍ଷା ବଳ ଓ ଆସାମ ରାଇଫଲ୍ସରେ 84 ହଜାର ପଦବୀ ଖାଲି, ୨୦୨୩ ସୁଦ୍ଧା ହେବ ପୂରଣ

ନୂଆଦିଲ୍ଲୀ:ଚଳିତ ବର୍ଷ ଜୁଲାଇ ଶେଷ ସୁଦ୍ଧା ତଥ୍ୟ ଅନୁସାରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ (CAPFs) ଓ ଆସାମ ରାଇଫଲ୍ସରେ ଖାଲି ପଡିଛି 84,659 ପଦବୀ । ଖୁବ ଶୀଘ୍ର ଏହି ଖାଲି ପଦବୀ ପୂରଣ କରିବା ଦିଗରେ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର । ଆସନ୍ତା ବର୍ଷ (2023) ଡିସେମ୍ବର ଶେଷ ସୁଦ୍ଧା ଏହି ଭର୍ତ୍ତି ପ୍ରକ୍ରିୟା ଶେଷ ହେବା ନେଇ ଗୃହରେ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ।

ଲୋକସଭାରେ ସଦସ୍ୟଙ୍କ ପ୍ରଶ୍ନରେ ଲିଖିତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ‘‘ଅର୍ଦ୍ଧ ସାମରିକ ବଳରେ ଖାଲି ପଡିଥିବା ପଦବୀ ମଧ୍ୟରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF)ରେ ସର୍ବାଧିକ 23,435 ପଦବୀ, ସୀମା ସୁରକ୍ଷା ବଳ (BSF) ରେ 11,765 ପଦବୀ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) ରେ 11,765 ଟି ପଦବୀ, ସଶସ୍ତ୍ର ସୀମା ବଳ (SSB) ରେ 11,143 ପଦବୀ, ଆସାମ ରାଇଫଲରେ 6,044 ପଦବୀ ଓ ଇଣ୍ଡୋ-ତିବ୍ବତ ବର୍ଡର ପୋଲିସ (ITBP)ରେ 4,762 ପଦବୀ ଖାଲି ପଡିଛି ।’’

ସେହିପରି 2012 ଅକ୍ଟୋବର 4 ତାରିଖରେ ପର୍ସନାଲ ଏବଂ ଟ୍ରେନିଂ ବିଭାଗର ଦ୍ବାରା ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ଏବଂ ଆସାମ ରାଇଫଲରେ 10 ପ୍ରତିଶତ ପଦବୀ ପୂର୍ବତନ ତଥା ସେବା ନିବୃତ୍ତ ସେନାଧିକାରୀଙ୍କ ପାଇଁ ସଂରକ୍ଷିତ ରହିଛି । ଏହି ସଂରକ୍ଷଣ ବ୍ୟବସ୍ଥା କେବଳ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସ୍ତର ପର୍ଯ୍ୟନ୍ତ ହେବ ଏବଂ ଏଥିରେ ଭର୍ତ୍ତି ମଧ୍ୟ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟାରେ ହେବା ନେଇ ମନ୍ତ୍ରୀ ରାୟ ସୂଚନା ଦେଇଛନ୍ତି ।

ଏହା ବ୍ୟତୀତ ମନ୍ତ୍ରୀ ରାୟ କହିଛନ୍ତି, ‘‘କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନା ପାଇଁ ପରବର୍ତ୍ତୀ ସମୟରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁସାରେ, କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ସୁରକ୍ଷା ବଳ ଓ ଆସାମ ରାଇଫଲରେ ମଧ୍ୟ ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିବ । ଅଗ୍ନିବୀର ଭାବେ 4 ବର୍ଷ ସେବାକାଳ ଶେଷ କରିବା ପରେ ସେମାନଙ୍କ ପାଇଁ କନଷ୍ଟେବଳ (ସାଧାରଣ ଡ୍ୟୁଟି) ଏବଂ ରାଇଫଲମେନ ପଦବୀରେ 10 ପ୍ରତିଶତ ସ୍ଥାନ ସଂରକ୍ଷିତ ଭାବେ ପ୍ରଦାନ କରାଯିବ ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details