ନୂଆଦିଲ୍ଲୀ:8 ଜଣ ଭାରତୀୟ ପୂର୍ବତନ ନୌସେନାଧିକାରୀଙ୍କୁ କତାର ସରକାର ମୃତ୍ୟୁ ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ଏମାନେ ସେଠାରେ ଏକ ଟେକ୍ନୋଲୋଜି କମ୍ପାନୀରେ କାର୍ଯ୍ୟରତ ଥିଲେ । ଗତବର୍ଷ ଏମାନଙ୍କୁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ କରାଯାଇଥିଲା । ଆଜି ଏହି ଦଣ୍ଡାଦେଶ ପ୍ରକାଶ ପାଇବା ପରେ ଏହାକୁ ଭାରତ ପକ୍ଷରୁ କଡା ବିରୋଧ କରାଯାଉଛି । ଏହାକୁ ଅନ୍ତର୍ଜାତୀୟ ଆଇନ ଅନୁସାରେ ଚ୍ଯାଲେଞ୍ଜ କରିବା ପାଇଁ ଭାରତ ପ୍ରକ୍ରିୟା ଆରମ୍ଭ କରିଛି ।
ଏହି 8 ପୂର୍ବତନ ନୌସେନାଧିରୀଙ୍କୁ ଗତବର୍ଷ ସେପ୍ଟେମ୍ବରର ଗୁପ୍ତଚରଗିରି କରିବା ଅଭିଯୋଗରେ ଗିରଫ କରିଥିଲା କତାର । ଏମାନେ ପୂର୍ବରୁ ନୌସେନାରେ ଉଚ୍ଚପଦସ୍ଥ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ଏମାନଙ୍କ ମଧ୍ୟରେ ଭାରତୀୟ ନୌସେନା ଜାହାଜର କମାଣ ସମ୍ଭାଳିଥିବା ଉଚ୍ଚପଦସ୍ଥ ଅଧିକାରୀ ମଧ୍ୟ ରହିଛନ୍ତି । ଏହି ସମସ୍ତ ପୂର୍ବ ଅଧିକାରୀମାନେ ଭାରତୀୟ ନୌସେନାରୁ ସେବାନିବୃତ୍ତ ହେବା ପରେ କତାରରେ ଏକ ଗ୍ଲୋବାଲ୍ ଟେକ୍ନୋଲୋଜି ଏବଂ କନ୍ସଲଟାନ୍ସ ସର୍ଭିସେସ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଏହି କମ୍ପାନୀ କତାର ସଶସ୍ତ୍ର ବାହିନୀକୁ ତାଲିମ ଏବଂ ଆନୁଷଙ୍ଗିକ ସେବା ଯୋଗାଇ ଆସୁଛି ।
ଏହି 8 ପୂର୍ବ ଭାରତୀୟ ନୌସୈନିକଙ୍କ ନାମ କ୍ୟାପ୍ଟେନ ନବତେଜ ସିଂ ଗିଲ, କ୍ୟାପ୍ଟେନ ବିରେନ୍ଦ୍ର କୁମାର ବର୍ମା, କ୍ୟାପ୍ଟେନ ସୌରଭ ବାରିଷ୍ଟ, କମାଣ୍ଡର ଅମିତ ନାଗପାଲ, କମାଣ୍ଡର ପୂର୍ଣ୍ଣେନ୍ଦୁ ତିଓ୍ବାରୀ, କମାଣ୍ଡର ସୁଗୁନାକର ପକାଲା କମାଣ୍ଡର ରାଜୀବ ଗୁପ୍ତା ଓ ସେଲର ରାଗେଶ । ଏମାନଙ୍କୁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଗତବର୍ଷ ସେପ୍ଟେମ୍ବରରେ ସେମାନଙ୍କ ସ୍ଥାନୀୟ ବାସଭବନରୁ ଗିରଫ କରାଯାଇଥିଲା । ଏହା ପରେ ଏକାଧିକ ସଙ୍ଗୀନ ମାମଲାରେ ଅଭିଯୁକ୍ତ ଭାବେ ଏମାନଙ୍କୁ ଜେଲରେ ରଖାଯାଇଥିଲା । ଏକାଧିକ ଥର ଏମାନଙ୍କର ଜାମିନ ଆବେଦନ ମଧ୍ୟ ଖାରଜ ହୋଇସାରିଛି ।