ମୁମ୍ବାଇ:ପବିତ୍ର ଜନ୍ମଷ୍ଟମୀ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ । ତେବେ ମୁମ୍ବାଇ ସହରର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ବେଳେ ଅଘଟଣ ଘଟି ପ୍ରାୟ 77 ଜଣ ଅଂଶଗ୍ରହଣକାରୀ (ଗୋବିନ୍ଦା) ଆହତ ହୋଇଥିବା ସୂଚନା ମିଳିଛି । ପୂର୍ବାହ୍ନରୁ ଜାରି ରହିଥିବା ଏହି କାର୍ଯ୍ୟକ୍ରମରେ ସହରରେ ବିଭିନ୍ନ ସ୍ଥାନରେ ମୋଟ 77 ଜଣ ଆହତ ହୋଇଥିବା ସୂଚନା ମହାନଗର ନିଗମ ପକ୍ଷରୁ ଜାରି କରାଯାଇଛି । ତେବେ 77 ଆହତଙ୍କ ମଧ୍ୟରୁ ମାତ୍ର 7ଜଣ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି । ସେହିପରି ପଡ଼ୋଶୀ ଥାନେ ଜିଲ୍ଲାରେ ମଧ୍ୟ ପ୍ରାୟ 11ଜଣ ଅଂଶଗ୍ରହଣକାରୀ ଆହତ ହୋଇଥିବା ସୂଚନା ମିଳିଛି ।
ଜନ୍ମାଷ୍ଟମୀ ଅବସରରେ ଏହି ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ମୁମ୍ବାଇ ସମେତ ଦେଶର ବିଭିନ୍ନ ସ୍ଥାନରେ ହୋଇଥାଏ । ଏକ ମାଟି ହାଣ୍ଡିରେ ଦହି ରଖାଯିବା ସହ ଏହାକୁ ନିର୍ଦ୍ଦିଷ୍ଟ ଉଚ୍ଚତାରେ ଝୁଲାଇ ରଖାଯାଏ । ଏଥିରେ ଅଂଶଗ୍ରହଣକାରୀମାନଙ୍କୁ ଗୋବିନ୍ଦା କୁହାଯାଏ । ଏମାନେ ପରସ୍ପର କାନ୍ଧରେ ପାଦ ରଖି ଉପରକୁ ଚଢ଼ି ଉକ୍ତ ଦହିହାଣ୍ଡି ନିକଟରେ ପହଞ୍ଚିବାରେ ସଫଳ ହୋଇଥାନ୍ତି । ଏହାକୁ ହନୁମାନ ପିରାମିଡ ମଧ୍ୟ କୁହାଯାଏ । ଗୋବିନ୍ଦାମାନେ ପରସ୍ପର ସହଯୋଗରେ ଏହି ପିରାମିଡ୍ ସଦୃଶ ମାନବ ଶୃଙ୍ଖଳ ତିଆରି କରିଥାନ୍ତି । ଅଗ୍ରଭାଗ ପର୍ଯ୍ୟନ୍ତ ଜଣେ ପ୍ରତିଯୋଗୀ ପହଞ୍ଚି ଦହିହାଣ୍ଡି ଭାଙ୍ଗିବାରେ ସଫଳ ହୋଇଥାଆନ୍ତି ।