ଓଡିଶା

odisha

ETV Bharat / bharat

ସ୍ବାଧୀନତା ସଂଗ୍ରାମରେ ତେନ୍ତୁଳିଗୁମ୍ମାବାସୀଙ୍କ ବଳିଷ୍ଠ ବଳିଦାନ, ମିଳୁନି ସ୍ବତନ୍ତ୍ର ସୁବିଧା

ଇଂରଜ ଶାସନ ବିରୁଦ୍ଧରେ ଚାଲିଥିବା ଲଢେଇରେ କୋରାପୁଟର ତେନ୍ତୁଳିଗୁମ୍ମାବାସୀଙ୍କ ଭୂମିକା ଥିଲା ବଳିଷ୍ଠ । ଶହ ଶହ ଆଦିବାସୀ ପରିବାର ସଂଗ୍ରାମରେ ସାମିଲ ହୋଇଥିଲେ ମଧ୍ୟ କେବଳ ଫାଶୀଖୁଣ୍ଟରେ ଝୁଲିଥିବା ବିପ୍ଳବୀଙ୍କୁ ମିଳିଛି ସ୍ବାଧୀନତା ସଂଗ୍ରାମୀର ମାନ୍ୟତା । ଏଠାରେ ବିକାଶ ଠୁ ଦୂରରେ ରହିଛି ଏହି ଗାଁ । ତେବେ ଦେଶ ଆଜି ୭୫ତମ ସ୍ବାଧୀନତା ଦିବସ ପାଳୁଥିବା ବେଳେ ଏହି ଶହୀଦ ମାଟି ଉପରେ ସରକାର ଦୃଷ୍ଟି ଦେବା ପାଇଁ ହୋଇଛି ଦାବି । ଅଧିକ ପଢନ୍ତୁ....

By

Published : Nov 6, 2021, 6:04 AM IST

ସ୍ବାଧୀନତା ସଂଗ୍ରାମରେ ତେନ୍ତୁଳିଗୁମ୍ମାବାସୀଙ୍କ ବଳିଷ୍ଠ ବଳିଦାନ, ହେଲେ ମିଳୁନି ସ୍ବତନ୍ତ୍ର ସୁବିଧା
ସ୍ବାଧୀନତା ସଂଗ୍ରାମରେ ତେନ୍ତୁଳିଗୁମ୍ମାବାସୀଙ୍କ ବଳିଷ୍ଠ ବଳିଦାନ, ହେଲେ ମିଳୁନି ସ୍ବତନ୍ତ୍ର ସୁବିଧା

କୋରାପୁଟ: ସ୍ବାଧୀନତା ସଂଗ୍ରାମରେ କୋରାପୁଟ ଆଦିବାସୀ ସମ୍ପ୍ରଦାୟର ସ୍ବାଧୀନତା ସଂଗ୍ରାମୀଙ୍କ ଭୂମିକା ଥିଲେ ବେଶ ବଳିଷ୍ଠ । ଇଂରେଜ ଶାସନ ବିରୁଦ୍ଧରେ 1942 ମସିହାର ଭାରତ ଛାଡ଼ ଆନ୍ଦୋଳନରେ ସାରା ଦେଶ ଯେତେବେଳେ ଏକ ହୋଇଯାଇଥିଲା ସେତେବେଳେ ଗୁଣପୁର ଠାରୁ ପାପଡାହାଣ୍ଡି ଓ ମାଥିଲି ପର୍ଯ୍ୟନ୍ତ ଏମାନଙ୍କ ଅଭୂତପୂର୍ବ ସଂଗ୍ରାମ ଜାରି ରହିଥିଲା । ଶହୀଦ ଲକ୍ଷ୍ମଣ ନାୟକଙ୍କ ନେତୃତ୍ବରେ ମାଥିଲି ଥାନା ଆକ୍ରମଣ, ଗୁଣପୁର ନିକଟର ଆଦିବାସୀ ପ୍ରଜାମେଳି ଓ ପାପଡାହାଣ୍ଡିର ଥୁରୀ ନଦୀ କୂଳରେ ଶହ ଶହ ଆଦିବାସୀଙ୍କ ବଳିଦାନ ଏହି ଅଞ୍ଚଳ ଇଂରେଜ ଶାସନକୁ କଡ଼ା ଜବାବ ଦେଇଥିଲା ।

ସ୍ବାଧୀନତା ସଂଗ୍ରାମରେ ଅନନ୍ୟ ତେନ୍ତୁଳିଗୁମ୍ମାବାସୀଙ୍କ ଭୂମିକା, ହେଲେ ମିଳୁନି ସ୍ବତନ୍ତ୍ର ସୁବିଧା

ତେବେ ଏହି ସମସ୍ତ ଆନ୍ଦୋଳନରେ ହଜାର ହଜାର ସଂଖ୍ୟକ ଆଦିବାସୀ ସାମିଲ ହୋଇ ଶହୀଦ ହୋଇଥିଲେ ହେଁ କେବଳ ଯେଉଁମାନେ ଲକ୍ଷ୍ମଣ ନାୟକଙ୍କ ଭଳି ଜେଲ ଯାଇ ଫାଶି ଖୁଣ୍ଟରେ ଝୁଲିଥିଲେ ବା ଜେଲ ଦଣ୍ଡ ଭୋଗିଥିଲେ ସେମାନଙ୍କୁ ସ୍ଵାଧୀନତା ପରବର୍ତ୍ତୀ ସମୟରେ ପ୍ରଶାସନ ସ୍ଵାଧୀନତା ସଂଗ୍ରାମୀର ମାନ୍ୟତା ଦେଇଥିଲା ଓ ସେମାନଙ୍କ ପ୍ରଥମ ପିଢି଼ର ଭରଣ ପୋଷଣ ପାଇଁ କିଛି ସହାୟତା ପ୍ରଦାନ କରାଯାଇଥିଲା ।

ଆନ୍ଦୋଳନ ସ୍ଥାନରେ ବ୍ରିଟିଶ ପୋଲିସର ସାମନା କରି ଲାଠି ଓ ଗୁଳି ମାଡରେ ଧରାଶାୟୀ ହୋଇ ସ୍ମୃତିର ଗଭୀରତମ ପ୍ରଦେଶରେ ଲୁଚି ହଜି ଯାଇଥିଲେ ହଜାର ହଜାର ଆଦିବାସୀ ଓ ପରିବାର । ତେବେ ଏହି ସଂଗ୍ରାମୀ ଓ ତାଙ୍କ ପରିବାରକୁ ସ୍ଵାଧୀନତା ସଂଗ୍ରାମୀର ମାନ୍ୟତା ମଧ୍ୟ ମିଳିପାରିନଥିବା ନେଇ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ମାଟି ତେନ୍ତୁଳିଗୁମ୍ମାର ଏକ ଶହୀଦ ପରିବାରର ଦାୟାଦ କ୍ଷୋଭ ପ୍ରକାଶ କରିଛନ୍ତି ।

ଶହୀଦ ଲକ୍ଷ୍ମଣ ନାୟକଙ୍କୁ ମଧ୍ୟ ସରକାରୀ କଳ ତଥା ରାଜନୈତିକ ନେତୃବୃନ୍ଦ କେବଳ ତାଙ୍କ ଜନ୍ମଦିନ ଓ ତିରୋଧାନ ଦିବସରେ ମନେପକାଇବା ପାଇଁ ତେନ୍ତୁଳିଗୁମ୍ମାକୁ ଆସୁଥିବା ବେଳେ ଏହି ଶହୀଦ ମାଟିର ସମସ୍ୟା ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ତେନ୍ତୁଳିଗୁମ୍ମାବାସୀ । ତେନ୍ତୁଳିଗୁମ୍ମାରେ ଏ ପର୍ଯ୍ୟନ୍ତ ମୋବାଇଲ ସିଗନାଲ ପହଞ୍ଚି ପାରୁନଥିବା ଯୋଗୁଁ ପିଲାଠାରୁ ବୁଢା ପର୍ଯ୍ୟନ୍ତ ବାହାର ଦୁନିଆରୁ ଏକ ପ୍ରକାର ଦୂରରେ ରହିଥିବା ଭଳି ପରିସ୍ଥିତି ଉପୁଜିଥିବା ଜଣାପଡ଼ିଛି ।

ଏହି ଗ୍ରାମ ତଥା ପଞ୍ଚାୟତଟି କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକରେ ଥିଲେ ମଧ୍ୟ ତେନ୍ତୁଳିଗୁମ୍ମା ଓ ଦଣ୍ଡାବାଡି ମଧ୍ୟରେ ଥିବା ନଦୀ ଉପର ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନଥିବା ଯୋଗୁଁ ଏଠାକାର ଲୋକଙ୍କୁ ବ୍ଲକରେ କାମ କରାଇବା ପାଇଁ ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲି ବାଟ ଦେଇ 70 କିଲୋମିଟର ବାଟ ଅତିକ୍ରମ କରିବାକୁ ପଡୁଥିବା ସୂଚନା ରହିଛି ।

ଶହୀଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତି ପୀଠ ଭାବେ ପରିଚିତ ତେନ୍ତୁଳିଗୁମ୍ମାରେ ଥିବା ତାଙ୍କ ବାସସ୍ଥାନ ପ୍ରତି ମଧ୍ୟ ସରକାରୀ ଉଦାସୀନତା ଆଶ୍ଚର୍ଯ୍ୟଚକିତ କରିଥିବା ନେଇ ଲକ୍ଷ୍ମଣ ନାୟକଙ୍କ ନାତି ମଧୁ ନାୟକ କ୍ଷୋଭ ପ୍ରକାଶ କରିଛନ୍ତି । ଶହୀଦଙ୍କ ପରିବାର ହୋଇଥିଲେ ମଧ୍ୟ 2 ପିଢି ପରେ ସେମାନଙ୍କୁ ବର୍ତ୍ତମାନ କୌଣସି ସ୍ଵତନ୍ତ୍ର ସୁବିଧା ମିଳୁନଥିବା ସେ ଜଣାଇଛନ୍ତି । ଲକ୍ଷ୍ମଣ ନାୟକ ଯେଉଁଘରେ ରହୁଥିଲେ ଆଜି ମଧ୍ୟ ସେହି ସ୍ଥିତିରେ ରହିଥିବା ବେଳେ ଗାଁରେ ଶହୀଦଙ୍କ କୀର୍ତ୍ତି ସମ୍ପର୍କରେ ସୂଚନା ଫଳକଟିଏ ମଧ୍ୟ ନଥିବା ପରିତାପର ବିଷୟ ବୋଲି ପଡୋଶୀ ମଧୁପୁର ଗାଁର ବୁଦୂ ଦଳପତି କ୍ଷୋଭ ପ୍ରକାଶ କରିଛନ୍ତି ।

ଭାରତବର୍ଷ ତାର 75 ତମ ସ୍ଵାଧୀନତା ଦିବସ ପାଳନ କରୁଥିବା ବେଳେ ଏହି ଅଗଣିତ ଆଦିବାସୀଙ୍କ ପରାକ୍ରମ, ବୀର ଗାଥା ଓ ସ୍ଵାଧୀନତା ସଂଗ୍ରାମରେ ଦେଇଥିବା ବଳିଦାନକୁ ଦେଶ ମାନ୍ୟତା ଦେଇ କୃତଜ୍ଞତା ପ୍ରକାଶ କରିବା ସହ ସେମାନଙ୍କ ପ୍ରତି ନ୍ୟାୟ ପ୍ରଦାନ କରିବାର ଆବଶ୍ୟକତା ରହିଥିବା କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ମତ ବ୍ୟକ୍ତ କରିଛନ୍ତି । ତେବେ ଶହୀଦ ମାଟି ତେନ୍ତୁଳିଗୁମ୍ମା ଓ ଏହାର ଆଖପାଖ ଅଞ୍ଚଳ ତଥା ବୋଇପାରିଗୁଡା ବ୍ଲକ ଅନ୍ତର୍ଗତ ସମସ୍ତ ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ଜିଲ୍ଲାପାଳ ଅବଦଲ ଅକ୍ତର କହିଛନ୍ତି ।

କୋରାପୁଟରୁ ସି. ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details