ହାଇଦ୍ରାବାଦ:ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଦେଶ ପାଳିବାକୁ ଯାଉଛି 74ତମ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ଦିଲ୍ଲୀରୁ ପଲ୍ଲୀ ସବୁଠି ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ରାଜଧାନୀର କର୍ତ୍ତବ୍ୟପଥରେ ବିଶ୍ବ ଦେଖିବ ଭାରତର ସାମରିକ ଶକ୍ତି ସହ କଳା, ସଂସ୍କୃତି, ଐତିହ୍ୟ ସହ ସାମାଜିକ ବିବିଧତାର ଝଲକ । ଏହି ଗାରିମାମୟ ଜାତୀୟ ଉତ୍ସବରେ ପ୍ରଦର୍ଶିତ ହେବା ପାଇଁ ସ୍ଥାନ ପାଇଛି ଓଡିଶାର ଶାସ୍ତ୍ରୀୟ ତଥା ଲୋକନୃତ୍ୟ । ଓଡିଶାର ସଂସ୍କୃତି ବହନ କରୁଥିବା ଶାସ୍ତ୍ରୀୟ ନୃତ୍ୟ ଓଡିଶୀ, ଲୋକନୃତ୍ୟୁ ଝୁମୁରା ଓ ସହିଜାତ ନାଚ ରାଜଧାନୀ କର୍ତ୍ତବ୍ୟପଥର ଶୋଭାମଣ୍ଡନ କରିବ । ରାଜ୍ୟ ସଂସ୍କୃତି ବିଭାଗ ଦ୍ବାରା ପ୍ରଦର୍ଶିତ ହେବାକୁ ଥିବା ପ୍ରଜ୍ଞାପନ ମେଢ ପରେ ଏହି ନୃତ୍ୟଗୁଡିକ ପରିବେଷଣ ହେବ ।
ଓଡିଶୀ ଓଡିଶାର ପ୍ରାଦେଶିକ ଜାତୀୟ ନୃତ୍ୟ ହୋଇଥିବା ବେଳେ ଶ୍ରୀଜଗନ୍ନାଥ ମନ୍ଦିର ଓ ସଂସ୍କୃତି ସହ ଏହାର ହାଜର ବର୍ଷର ପ୍ରତ୍ୟେକ୍ଷ ସମ୍ପର୍କ ରହିଛି । ସେହିପରି ଝୁମୁରା କେନ୍ଦୁଝର ଜିଲ୍ଲାର ଏକ ଲୋକପ୍ରିୟ ତଥା ଆଦିବାସୀ ସମାଜରେ ବହୁଳ ପ୍ରଚଳିତ ଲୋକନୃତ୍ୟ । ପ୍ରଦର୍ଶିତ ହେବାକୁ ଥିବା ଅନ୍ୟ ଏକ ଲୋକନୃତ୍ୟ ହେଉଛି ସହିଜାତ ନୃତ୍ୟୁ । ଯାହାକି ଜଗନ୍ନାଥ ସଂସ୍କୃତି ସହ ମଧ୍ଯ ପ୍ରତ୍ୟେକ୍ଷ ଭାବେ ଜଡିତ ଓ ଏହା ବିଶେଷତଃ ଓଡିଶାର ଆଧ୍ୟାତ୍ମିର ରାଜଧାନୀ ଶ୍ରୀକ୍ଷେତ୍ର ପୁରୀରେ ପ୍ରଚଳିତ । ପ୍ରଖ୍ୟାତ ଓଡିଶୀ ନୃତ୍ୟଶିଳ୍ପୀ ନିବେଦିତା ମହାପାତ୍ର, କବିତା ଦ୍ବିବେଦୀ, ଜୟପ୍ରଭା ମେନନ୍ ଏବଂ ଉର୍ସିଲା ଡ୍ୟାନ୍ସ କମ୍ପାନୀର ନିର୍ଦ୍ଦେଶକ ଭବିନୀ ମିଶ୍ର ଏହି ନୃତ୍ୟ ପରିବେଷଣ ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଦ୍ବାରା କୋରିଓଗ୍ରାଫର୍ ଭାବେ ମନୋନୀତ ହୋଇଛନ୍ତି । ରାଜ୍ୟରୁ ମୋଟ ନଅ ଓଡିଶୀ ନୃତ୍ୟଶିଳ୍ପୀ, 6 ଜଣ ଜୁମୁରା ନୃତ୍ୟଶିଳ୍ପୀ ଏବଂ ଚାରି ସହିଜାତ ନୃତ୍ୟଶିଳ୍ପୀ ଏହି ଭବ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ।