ମୁମ୍ବାଇ:ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ଚାଷୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ସଂଖ୍ୟା । ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଚଳିତ ବର୍ଷ ଜାନୁଆରୀରୁ ଜୁଲାଇ ମଧ୍ୟରେ 73 ଜଣ କୃଷକ ମୃତ୍ୟୁବରଣ କରିଛନ୍ତି । ଯାହାକୁ ନେଇ ଚିନ୍ତା ପ୍ରକାଶ ପାଇଛି । କାହିଁକି ଚରମ ନିଷ୍ପତ୍ତି ନେଉଛନ୍ତି ଅନ୍ନଦାତା ।
ଜିଲ୍ଲା ପ୍ରଶାସନର ତଥ୍ୟ ଅନୁଯାୟୀ, ଜିଲ୍ଲାରେ 2001 ରୁ 2023 ମସିହା ମଧ୍ୟରେ 1,148 ଚାଷୀ ଆତ୍ମହତ୍ୟା ଜନିତ ମୃତ୍ୟୁ କରିଛନ୍ତି । ଯେଉଁଥିରେ ଗତ ପାଞ୍ଚ ବର୍ଷ ମଧ୍ୟରେ 446 ଜଣ ଅଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ, ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପୋଲିସ୍ ଅଧୀକ୍ଷକଙ୍କୁ ନେଇ ଏକ ବୈଠକ ହୋଇଥିଲା । ଯେଉଁଥିରେ 2001 ରୁ 2022 ମଧ୍ୟରେ ଜୀବନ ହାରିଥିବା 745 କୃଷକଙ୍କୁ ସରକାରୀ କ୍ଷତିପୂରଣ ଦେବା ନେଇ ଘୋଷଣା ହୋଇଥିଲା । ଏନେଇ ମୃତ ଚାଷୀଙ୍କ ସମ୍ପର୍କୀୟଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ସରକାରଙ୍କୁ ଏକ ପ୍ରସ୍ତାବ ପଠାଇଥିଲା ।
ତେବେ ଏନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆମେ ଆତ୍ମହତ୍ୟା ଜନିତ ମୃ୍ତ୍ୟୁ ହୋଇଥିବା କୃଷକଙ୍କ ସମ୍ପର୍କୀୟଙ୍କୁ 1 ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଆମେ 2006ରେ ହୋଇଥିବା ନିର୍ଦ୍ଦେଶାବଳୀ ଅନୁସରଣ କରୁଛୁ । 2006ରେ ଜାରି ହୋଇଥିବା ସରକାରୀ ନିଷ୍ପତ୍ତି ଅନୁଯାୟୀ, କୃଷକମାନଙ୍କ ଦ୍ୱାରା ଆତ୍ମହତ୍ୟା ଜନିତ ମାମଲାରେ ସରକାର ଏକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଆଧାରରେ କ୍ଷତିପୂରଣ ପ୍ରଦାନ କରନ୍ତି । ଫସଲ କ୍ଷୟ, ଜାତୀୟକରଣ ବ୍ୟାଙ୍କ, ସ୍ୱୀକୃତିପ୍ରାପ୍ତ ଅର୍ଥଦାତାଙ୍କ ଠାରୁ ଋଣ ପରିଶୋଧ କରିବାରେ ଅସମର୍ଥତା ଭଳି କାରଣରୁ କୃଷକଙ୍କ ସମ୍ପର୍କୀୟମାନେ 1 ଲକ୍ଷ ଟଙ୍କା କ୍ଷତିପୂରଣ ପାଇବାକୁ ଯୋଗ୍ୟ ହେବେ । ସେଥିମଧ୍ୟରୁ 30,000 ଟଙ୍କା ସେମାନଙ୍କୁ ହସ୍ତାନ୍ତର କରାଯାଉଥିବା ବେଳେ ଅବଶିଷ୍ଟ 70,000 ଟଙ୍କା ପାଞ୍ଚ ବର୍ଷ ପାଇଁ ସେମାନଙ୍କ ଆକାଉଣ୍ଟରେ ଜମା ହେବ ।