ଶ୍ରୀନଗର: ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନଠୁ ନେଇ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପର୍ଯ୍ୟନ୍ତ ଅନେକ ବିଷୟ ଉପରେ ଚାଲିଛି ଖୋଲାଖୋଲି ଚର୍ଚ୍ଚା । ଘାଟିକୁ ନେଇ ମୋଦି ସରକାରଙ୍କ ରଣନୀତି ଉପରେ ମଧ୍ୟ ଗଳିକନ୍ଦିରେ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ସରକାରଙ୍କ ମାଳମାଳ ମନ୍ତ୍ରୀ ଜମ୍ମୁ କାଶ୍ମୀର ଗସ୍ତ କରୁଥିବା ଖବର ରାଜନୀତିକୁ ଆହୁରି ସରଗରମ କରିଦେଇଛି ।
ସୂଚନା ଅନୁଯାୟୀ, ୭୦ କେନ୍ଦ୍ରମନ୍ତ୍ରୀ ସେପ୍ଟମ୍ବର ୧୦ରୁ ଜମ୍ମୁ କାଶ୍ମୀର ଗସ୍ତ କରିବେ । ପ୍ରତ୍ୟେକ ଅପହଞ୍ଚ ଇଲାକା ଗସ୍ତ କରିବାକୁ ସବୁ ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଦିଆଯାଇଛି ସ୍ପଷ୍ଟ ବାର୍ତ୍ତା । ଲକ୍ଷ୍ୟ ରହିବ ଜନସାଧାରଣଙ୍କ ସହିତ ସିଧାସଳଖ ମିଶିବା ଓ ଆଲୋଚନା କରିବା । କେବଳ ସେତିକି ନୁହେଁ, ସେମାନଙ୍କ ସମସ୍ୟା ବୁଝି ଏହାର ସମାଧାନ କରିବାର ଉପାୟ ଖୋଜିବେ ମନ୍ତ୍ରୀଗଣ । ଏହାସହିତ ଜମ୍ମୁ କାଶ୍ମୀରରେ କେନ୍ଦ୍ରର ବିକାଶ କାର୍ଯ୍ୟ କେତେ ସମ୍ପୂର୍ଣ୍ଣ ହୋଇସାରିଛି, ଏହାର ମଧ୍ୟ ସମୀକ୍ଷା ହେବ ।