ନୂଆଦିଲ୍ଲୀ:ୟୁକ୍ରେନରୁ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ଓ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଜାରି ରହିଥିବା ‘ଅପରେସନ୍ ଗଙ୍ଗା’ କୁ ବ୍ୟାପକ କରାଯାଉଛି । ଆସନ୍ତାକାଲି (ବୁଧବାର) ସାତୋଟି ବିମାନ ୟୁକ୍ରେନର ପଡୋଶୀ ଦେଶରୁ ଭାରତୀୟଙ୍କୁ ଧରି ଦିଲ୍ଲୀରେ ଅବତରଣ କରିବା ନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି । ଏହି ଅଭିଯାନରେ ଏବେ ସୁଦ୍ଧା ମୋଟ ୯ବିମାନରେ ଭାରତୀୟମାନେ ଫେରିସାରିଲେଣି ।
ସୂଚନାନୁସାରେ, ୟୁକ୍ରେନର ଆକାଶମାର୍ଗ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ପଡୋଶୀ ଦେଶଗୁଡିକ ଜରିଆରେ ଅପରେସନ ଜାରି ରଖିଛି ଭାରତ । ପ୍ରଥମେ ଏୟାର ଇଣ୍ଡିଆ ବ୍ୟବହାର କରାଯାଇଥିବା ବେଳେ ଏବେ ସ୍ପାଇସଜେଟ, ଇଣ୍ଡିଗୋ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଓ ଭାରତୀୟ ବାୟୁସେନାର ପରିବହନ ବିମାନକୁ ମଧ୍ୟ ବ୍ୟବହାର କିରବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି ।
ତେବେ ସେଠାରେ କ୍ରମାଗତ ଭାବେ ସ୍ଥିତି ବିଗିଡିବାରେ ଲାଗିଛି । ଋଷ ସେନା ଗୋଟିଏ ପରେ ଗୋଟିଏ ୟୁକ୍ରେନୀୟ ସହରକୁ କାବୁ କରିବାରେ ଲାଗିଛି । ଏପରି ସମୟରେ ରାଜଧାନୀ କିବ ମଧ୍ୟ ସୁରକ୍ଷିତ ହୋଇନାହିଁ । ତେଣୁ ସମସ୍ତ ଭାରତୀୟଙ୍କୁ ତୁରନ୍ତ କିବ ଛାଡିବା ପାଇଁ ନିର୍ଦ୍ଦେଶ ମଧ୍ୟ ମିଳିସାରିଛି । ଅନ୍ୟପଟେ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ତ୍ବରିତ କରିବା ପାଇଁ ଭାରତୀୟ ବାୟୁସେନାର ବୃହତ ଯୁଦ୍ଧ ପରିବହନ ବିମାନ C-17 ବ୍ୟବହାର ହେବା ନେଇ ମଧ୍ୟ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।