ଟୋକିଓ:ଶକ୍ତିଶାଳୀ ଭୂକମ୍ପରେ ଥରିଲା ଜାପାନ । ଗତକାଲି (ବୁଧବାର) ଜାପାନର ରାଜଧାନୀ ଟୋକିଓ ଉପକୂଳ ନିକଟବର୍ତ୍ତୀ ଅଞ୍ଚଳରେ ଏହି ଭୟଙ୍କର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା 7.3 ରହିଥିବା ରେକର୍ଡ କରାଯାଇଛି । ଭୂକମ୍ପ ତୀବ୍ରତା ଅଧିକ ଥିବାରୁ ରାଜଧାନୀ ଟୋକିଓର ଉତ୍ତର-ପୂର୍ବ ଉପକୂଳର କିଛି ସ୍ଥାନ ପାଇଁ ସୁନାମି ସତର୍କତା ଜାରି କରାଯାଇଛି । ଭୂକମ୍ପ ସମୟରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଘରୁ ବାହାରକୁ ଦୌଡୁଥିବା ସମୟରେ ଦୁଇ ମହଲାରୁ ତଳେ ପଡି ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ଜଣେ ବ୍ୟକ୍ତି ହୃଦଘାତରେ ଆଖି ବୁଜିଛନ୍ତି । ଏଥିରେ ୯୭ ଜଣ ଆହତ ହୋଇଥିବାର ମଧ୍ୟ ସୂଚନା ରହିଛି ।
ମିଳିଥିବା ସୂଚନା ଅନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ ଟୋକିଓ ଫୁକୁସିମା ଅଞ୍ଚଳର ଉପକୂଳ ହୋଇଥିବାବେଳେ ଏହା ସମୁଦ୍ର ମଧ୍ୟରେ ପ୍ରାୟ ୬୦ କି.ମି ଗଭୀରତାରେ ସୃଷ୍ଟି ହୋଇଛି । ଭୂକମ୍ପ ପରେ ଟୋକିଓର ଉତ୍ତରପୂର୍ବ ଅଞ୍ଚଳର ପ୍ରାୟ 20 ଲକ୍ଷ ଘର ଅନ୍ଧାରରେ ରହିଛି ।