ଜୟପୁର: ରାଜସ୍ଥାନର କରୌଲୀରେ ଘଟିଥିବା ହିଂସାକାଣ୍ଡ ନେଇ ଗେହଲଟ ସରକାରଙ୍କୁ ବିରୋଧୀ ଟାର୍ଗେଟ କରିବା ପରେ ଆଜି ରାଜ୍ୟରେ ବଡ ଧରଣର ପ୍ରଶାସନିକ ବଦଳି ଦେଖିବାକୁ ମିଳିଛି । ଏକକାଳୀନ 69 IAS ଅଧିକାରୀଙ୍କୁ ବଦଳି କରିଛନ୍ତି ଗେହଲଟ ସରକାର । ଗତକାଲି ଏସମ୍ପର୍କିତ ଏକ ବିଜ୍ଞପ୍ତି ଜାରି କରିିଥିଲେ ସରକାର । ହିଂସାକାଣ୍ଡ ପାଇଁ ଚର୍ଚ୍ଚାରେ ଥିବା କରୌଲୀ ଜିଲ୍ଲାପାଳ ମଧ୍ୟ ଏହି ବଦଳି ତାଲିକାରେ ରହିଛନ୍ତି ।
IAS ଅଧିକାରୀ ଅଙ୍କିତ କୁମାର ସିଂ କରୌଲୀର ନୂତନ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି । ପୂର୍ବରୁ ଜିଲ୍ଲା ଦାୟିତ୍ବରେ ଥିବା ରାଜେନ୍ଦ୍ର ସିଂ ଶିଖାଓ୍ବତଙ୍କୁ ବିଭାଗୀୟ ତଦନ୍ତ କମିଶନର ଭାବେ ରାଜଧାନୀ ଜୟପୁରକୁ ସ୍ଥାନାନ୍ତରଣ କରାଯାଇଛି । ଏପ୍ରିଲ 2 ତାରିଖରେ କରୌଲୀରେ ଏକ ଧର୍ମୀୟ କାର୍ଯ୍ୟକ୍ରମରେ ହୋଇଥିବା ହିଂସାକାଣ୍ଡ ପାଇଁ ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା ମଧ୍ୟ ବିବାଦକୁ ଆସିଥିଲା । ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ହିଂସା ଦେଖାଯିବା ସହ ଏକାଧିକ ଗାଡି ପୋଡି ଦେଇଥିଲେ ଦୁର୍ବୃତ୍ତ । ଅପ୍ରିଲ 10 ତାରିଖ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗିବା ସହ ଏକାଧିକ ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରାଯାଇଥିଲା ।