କୋଲକାତା: ପ୍ରେମୀ ଯୁଗଳଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଉଠାଉଥିଲେ ବୃଦ୍ଧ । ପିଟିପିଟି ବୃଦ୍ଧଙ୍କ ଜୀବନ ନେଲେ ଯୁବକ ଯୁବତୀ । ପଶ୍ଚିମବଙ୍ଗ ଆସାନସୋଲ ଅରଦଙ୍ଗାରୁ ଏଭଳି ଏକ ଅଭିଯୋଗ ସାମ୍ନାକୁ ଆସିଛି । ଗୁରୁବାର ସନ୍ଧ୍ୟାରେ ଏହି ଅମାନବୀୟ ଘଟଣା ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ଉଭୟେ ଫେରାର ଥିବା ସୂଚନା ରହିଛି । ମୃତ ବୃଦ୍ଧଙ୍କ ନାମ ଅମର ସିଂ ହୋଇଥିବା ବେଳେ ବୟସ ୬୫ ବର୍ଷ ବୋଲି ଜଣାପଡିଛି । ଏନେଇ ବୃଦ୍ଧଙ୍କ ପରିବାର ଲୋକ ଆସନସୋଲ ସାଉଥ ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ସୂଚନାଅନୁସାରେ, ଅମର ସିଂ ଅରଦଙ୍ଗା ଅଞ୍ଚଳରେ ଭଡା ନେଇ ରହୁଥିଲେ । ସେ ଜଣେ ଟିଏମସି କର୍ମୀ ଥିଲେ । ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ," ମୃତ ବୃଦ୍ଧ ଜଣକ ସବୁଦିନ ପରି ଅରଦାନଗାର ଏକ ପଡିଆରେ ବସିଥିଲେ । ସେହି ସ୍ଥାନରେ ଜଣେ ଯୁବକ ଯୁବତୀ ମଧ୍ୟ ବସି ବାର୍ତ୍ତାଳାପ କରୁଥିଲେ । ଏହାପରେ ହଠାତ୍ ପ୍ରେମିକା ଜଣକ ଉତ୍ତେଜିତ ହୋଇ ଆସି କାହିଁକି ପ୍ରାଇଭେଟ ଫଟୋ ଉଠାଇଲେ ବୋଲି ପ୍ରଶ୍ନ କରିଥିଲେ । ସେ ମନା କରିବା ସତ୍ତ୍ବେ ମଧ୍ୟ ଫଟୋ ଉଠାଇଥିବା ନେଇ ସେମାନେ ଦାବି କରିଥିଲେ । ଏହାପରେ ସେମାନେ ଉତକ୍ଷିପ୍ତ ହୋଇ ତାଙ୍କ ବନ୍ଧୁକୁ ଡାକିଥିଲେ । ସେ ପହଞ୍ଚିବା ପରେ ଅମର ସିଂକୁ ମାଡ ମାରିଥିଲେ । ଏହାପରେ ସେ ଲହୁଲୁହାଣ ହୋଇ ଘରକୁ ଫେରିଥିଲେ । "
ଏନେଇ ଅମର ସିଂଙ୍କ ଘର ଲୋକ କହିଛନ୍ତି,"ସେ ଘରକୁ ଫେରିଲା ବେଳକୁ ତାଙ୍କର ସ୍ଥିତି ଗମ୍ଭୀର ଥିଲା । ତାଙ୍କୁ ଅକ୍ସିଜେନର ଅଭାବ ହେଉଥିବା ଭଳି ମନେହେଲା । ତେଣୁ ଆମେ ତତକ୍ଷଣାତ ଆସନସୋଲ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲୁ । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ତାଙ୍କ ମୃତଦେହକୁ ଘରକୁ ନେଇ ଆସିଥିଲୁ ।"