ଜୟପୁର:ରାଜସ୍ଥାନର ପୋଖରାନ ସ୍ଥିତ ସେନା ଫାଇରିଂ ରେଞ୍ଜ ପାଇଁ ଉଦ୍ଦିଷ୍ଟ ନିଷେଧାଞ୍ଚଳରେ ପ୍ରବେଶ କରିଥିବା ଜଣେ ଯୁବକଙ୍କୁ ପିଟିପିଟି ଗୁରୁତର କରିବା ଓ ହସ୍ପିଟାଲରେ ଉକ୍ତ ଯୁବକଙ୍କ ମୃତ୍ୟୁ ହେବା ଅଭିଯୋଗରେ 6 ଜଣ ସେନା ଯବାନଙ୍କୁ ବୁକ କରିଛି ରାଜସ୍ଥାନ ପୋଲିସ (ମାମଲା ରୁଜୁ ହୋଇଛି) । ସ୍ଥାନୀୟ 24 ବର୍ଷିୟ ସଲମାନ ନାମକ ଯୁବକ ଓ ତାଙ୍କର ଜଣେ ସାଥୀ ବାଇକ ଯୋଗେ ଉକ୍ତ ନିଷେଧାଞ୍ଚଳର ନିକଟବର୍ତ୍ତୀ ହୋଇଥିବା ବେଳେ ପାଟ୍ରୋଲିଂ କରୁଥିବା ସେନା ଯବାନ ତାଙ୍କୁ ମାଡ ମାରିବା ସହ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।
ଅନ୍ୟପଟେ ମୃତ ଯୁବକଙ୍କ ପରିବାର ପକ୍ଷରୁ ଅଣାଯାଇଥିବା ସଙ୍ଗୀନ ଅଭିଯୋଗକୁ ସେନା ପକ୍ଷରୁ ସମ୍ପୂର୍ଣ୍ଣ ଖଣ୍ଡନ କରାଯାଇଛି । ଉକ୍ତ ଯୁବକ ଜଣଙ୍କ ଆହତ ଅବସ୍ଥାରେ ରାସ୍ତାରେ ପଡିଥିବା ଅବସ୍ଥାରେ ପାଟ୍ରୋଲିଂ ଟିମକୁ ମିଳିଥିଲା । ସେନା ଯବାନମାନେ ଉକ୍ତ ବ୍ୟକ୍ତିଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ଆଣିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସେନା କହିଛି ।