ନୂଆଦିଲ୍ଲୀ:ଆଉ ରହିବନି ନେଟ୍ ସ୍ଲୋ ସମସ୍ୟା । ଆଖି ପିଛୁଳାକେ ସବୁ ହେବ ଡାଉନଲୋଡ୍ । କାରଣ ଖୁବଶୀଘ୍ର ଉପଭୋକ୍ତା ପାଇବେ ବହୁ ପ୍ରତୀକ୍ଷିତ 5G ସେବା । ଭାରତୀୟ ରେଲିକମ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି 5ଜି ନିଲାମ ପ୍ରକ୍ରିୟା । 4Gଠୁ 10 ଗୁଣ ଅଧିକ ସ୍ପିଡ୍ ହେବ 5G ।
TRAI (Telecom Regulatory Authority of India) ପକ୍ଷରୁ ପ୍ରୋଜେକ୍ଟର ଟେଷ୍ଟିଂ ଶେଷ ହୋଇଛି । ଏହି ନିଲାମ ପ୍ରକ୍ରିୟା ରେସ୍ରେ ଜିଓ, ଏୟାରଟେଲ୍, ଭୋଡାଫୋନ୍-ଆଇଡିଆ, BSNL ରହିଛନ୍ତି । ପ୍ରଥମ ଥର ପାଇଁ ଆଦାନୀ ଗ୍ରୁପ ନିଲାମି ପ୍ରକ୍ରିୟାରେ ସାମିଲ ହୋଇଛି । ସେପ୍ଟେମ୍ବର ସୁଦ୍ଧା ଭାରତୀୟ ଉପଭୋକ୍ତାଙ୍କୁ ଏହି ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି ।
ଦୁଇମାସ ତଳେ ଭାରତରେ 5ଜି ଟେକ୍ନାଲୋଜିର ସଫଳ ପରୀକ୍ଷଣ ହୋଇଥିଲା । 5ଜି ସ୍ପେକ୍ଟ୍ରମ(5G Spectrum Auction) ବିଭିନ୍ନ ଲୋ ଫ୍ରିକ୍ୟୁଏନ୍ସି ବ୍ୟାଣ୍ଡ, ମିଡ ଫ୍ରିକ୍ୟୁଏନ୍ସି ଓ ହାଇ ଫ୍ରିକ୍ୟୁଏନ୍ସି ବ୍ୟାଣ୍ଡ 26 ଗିଗା ହର୍ଜ ପାଇଁ ନିଲାମ ହେବ । ନିଲାମିରେ ସାମିଲ ହେବା ପାଇଁ 21 ହଜାର 4 ଶହ କୋଟି ଟଙ୍କାର ଟୋକନ ମନି ବା ଇଏମଡି (Earnest money deposits) ଦାଖଲ କରିଛନ୍ତି କମ୍ପାନୀ । ରିଲିଆନ୍ସ ଜିଓ 14 ହଜାର କୋଟି, ଏୟାରଟେଲ୍ 5 ହଜାର 500 କୋଟି, ଭୋଡାଫୋନ୍-ଆଇଡିଆ 2 ,200 କୋଟି ଦେଇଥିବାବେଳେ ଆଦାନୀ ଗ୍ରୁପ 100 କୋଟି ଇଏମଡି ଭରିଛନ୍ତି ।