ନୂଆଦିଲ୍ଲୀ:ଚଳିତ ଆର୍ଥିକ ବର୍ଷରେ ଆରମ୍ଭ ହେବ ୫ଜି ସେବା । ୫ଜି ଉପକରଣ ପାଇଁ ଲଞ୍ଚ ହେବ ପିଏଲ୍ଆଇ ସ୍କିମ୍ । ୨୦୨୨-୨୩ ବର୍ଷରେ ଦେଶରେ ୫ଜି ସେବା ଆରମ୍ଭ ହେବା ନେଇ ଘୋଷଣା କଲେ ଅର୍ଥମନ୍ତ୍ରୀ ସୀତାରମଣ । ୫ଜି ସେବା ଲାଗି ସ୍ପେକ୍ଟ୍ରମ ପାଇଁ ନିଲାମ ଡକାଯିବ । ଘରୋଇ କମ୍ପାନୀ ଏହି ସେବା ଯୋଗାଇବେ ।
ରିପୋର୍ଟ ଅନୁଯାୟୀ, ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ଆଦି ପ୍ରମୁଖ ସହରରେ ୫ଜି ଲଞ୍ଚ ହେବ । ଏୟାରଟେଲ୍, ରିଲିଆନ୍ସ ଜିଓ ଏବଂ ଭୋଡାଫୋନ ଆଇଡିଆ(Vi) ଭଳି ବଡ ବଡ ଟେଲିକମ୍ କମ୍ପାନୀ ବିଭିନ୍ନ ଟ୍ରାଏଲରେ ନିଜ ୫ଜି ନେଟୱାର୍କ ଟେଷ୍ଟିଂ କରୁଛନ୍ତି । ସରକାର ମଧ୍ୟ ସ୍ପେକ୍ଟ୍ରମ ନିଲାମ ନେଇ ବିଭିନ୍ନ ଟେଲିକମ୍ କମ୍ପାନୀ ଏବଂ ଷ୍ଟେକହୋଲ୍ଡରଙ୍କ ସହ ଆଲୋଚନା କରିଛନ୍ତି ।
ସେହିପରି ଭାରତ ନେଟ୍ ପ୍ରୋଜେକ୍ଟ ଜରିଆରେ ୨୦୨୫ ସୁଦ୍ଧା ସବୁ ଗାଁକୁ ଅପ୍ଟିକାଲ ଫାଇବର ବିଛାଯିବ । ଗାଁରେ ଅପ୍ଟିକାଲ ଫାଇବର ପାଇଁ ୨୦୨୫ ସୁଦ୍ଧା ଅର୍ଡର ପୂରଣ ହେବ । ପିପିପି ମୋଡ୍ରେ ଅପ୍ଟିକାଲ ଫାଇବର ଅର୍ଡର ଦିଆଯିବ ବୋଲି ଆଜି ବଜେଟ୍ ଉପସ୍ଥାପନ କରି କହିଛନ୍ତି ଅର୍ଥମନ୍ତ୍ରୀ ।
ଉଲ୍ଲେଖଯୋଗ୍ୟ, ଆମେରିକାରେ ୫ଜି ନେଟୱାର୍କ ସେବା ଆରମ୍ଭ ସମୟରେ ବିମାନ ଉପକରଣ ପାଇଁ ବିପଦ ସୃଷ୍ଟି କରିବା ସହ ବୋଇଂ ୭୭୭ ପରି କେତେକ ବିମାନ ଉପରେ ପ୍ରଭାବ ପକାଇବାରୁ କିଛି ଦିନ ତଳେ ଅନେକ ବିମାନ ଉଡାଣ ବାତିଲ ହୋଇଥିଲା । ହେଲେ ଭାରତରେ ଆସିବାକୁ ଥିବା ଏହି ୫ଜିର ପ୍ରଭାବ କୌଣସି ବିମାନ ଚଳାଚଳ ଉପରେ ପଡିବ ନାହିଁ । ବିମାନଗୁଡିକ କୌଣସି ସୁରକ୍ଷା ଜନିତ ସମସ୍ୟାର ସମ୍ମୁଖୀନ ହେବେ ନାହିଁ ବୋଲି ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ(Trai) ପ୍ରକାଶ କରିଥିଲା ।
@ANI