ନୂଆଦିଲ୍ଲୀ: ନୂଆଦିଲ୍ଲୀ ଠାରେ ଉଦ୍ୟୋଗ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ତଥା ଲଜିଷ୍ଟିକ୍ସ ବିଭାଗର ସ୍ବତନ୍ତ୍ର ସଚିବ ସୁମିତା ଦୱାରାଙ୍କ ଅଧ୍ୟକ୍ଷତାରେ ୫୮ତମ ନେଟୱାର୍କ ପ୍ଳାନିଂ ଗ୍ରୁପ ବୈଠକ ଅନୁଷ୍ଠିତ ହୋଇଛି । ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଅଧୀନରେ କାର୍ଯ୍ୟ କରୁଥିବା ଏହି ନେଟୱାର୍କ ପ୍ଲାନିଂ ଗ୍ରୁପ ବୈଠକରେ ସଡକ ପରିବହନ ଓ ରାଜମାର୍ଗ, ରେଳବାଇ, ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ, ଶକ୍ତି ଓ ପେଟ୍ରୋଲିୟମ ତଥା ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଓ ଟେଲି ଯୋଗାଯୋଗ ବିଭାଗ ଓ ନୀତି ଆୟୋଗର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । ଏଥିରେ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଥିବା ରାଜ୍ୟମାନଙ୍କର ନୋଡାଲ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।
ଏହି ବୈଠକରେ ଓଡିଶାରେ ସମ୍ପୂର୍ଣ୍ଣ ନୂଆ ରେଳପଥ ନିର୍ମାଣ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଏହି ରେଳପଥ ନିର୍ମାଣ ପାଇଁ ୪୦୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚହେବ । ଏହି ରେଳପଥ ନିର୍ମାଣ ଦ୍ବାରା ଓଡିଶାର ବନ୍ଦର ଗୁଡିକୁ ରେଳ ସଂଯୋଗ ସୁବିଧା ବଢିବା ସହ ମାଲ ପରିବହନ ବ୍ୟବସ୍ଥା ସୁଗମ ହେବ । ଏହାଛଡା ଲୁହାପଥର ଓ ଅନ୍ୟାନ୍ୟ ଖଣିଜ ପଦାର୍ଥ ଖଣି ଅଞ୍ଚଳରୁ ବନ୍ଦରକୁ ସୁବିଧାରେ ପରିବହନ କରିବାରେ ଏହି ନୂଆ ରେଳପଥ ସହାୟକ ହେବ । ଏହା ଦ୍ବାରା ଓଡିଶାରେ ମଲ୍ଟିମୋଡାଲ କନେକ୍ଟିଭିଟି ବଢିବା ସହିତ ଶିଳ୍ପାୟନ ବ୍ୟବସ୍ଥା ତ୍ବରାନ୍ବିତ ହୋଇପାରିବ ।
ଅଧିକ ପଢନ୍ତୁ- ଆଜି 'ଗତିଶକ୍ତି' ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି
ଆଜିର ବୈଠକରେ ପଶ୍ଚିମବଙ୍ଗ, ଝାଡଖଣ୍ଡ, ଉତ୍ତର ପ୍ରଦେଶ ଓ କେରଳରେ ନିର୍ମିତ ହେବାକୁ ଥିବା ବୃହତ ସଡକ ପ୍ରକଳ୍ପ ଉପରେ ଆଲୋଚନା ହୋଇଥିଲା । ସେହି ସଡକ ପ୍ରକଳ୍ପ ଏସବୁ ରାଜ୍ୟର ଖଣି, କୃଷି ଓ ଶିଳ୍ପାଞ୍ଚଳ ସହିତ ଅନଗ୍ରସର ଇଲାକାକୁ ଯୋଡି ନିର୍ମିତ ହେବାକୁ ଥିବାରୁ ସମ୍ପୃକ୍ତ ଅଞ୍ଚଳର ଶିଳ୍ପାୟନ ଓ ଅର୍ଥନୀତିକ ବିକାଶ ପ୍ରକ୍ରିୟାରେ ଏହା ସହାୟକ ହେବ । ଏହି ସଡକ ପ୍ରକଳ୍ପ ମଧ୍ୟ ପରିବହନ ବ୍ୟବସ୍ଥାକୁ ସେହି ଅଞ୍ଚଳରେ ସୁବ୍ୟବସ୍ଥିତ କରିବା ସହିତ ସ୍ବାସ୍ଥ୍ୟସେବା ଶିକ୍ଷାବିକାଶ ଓ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିବ । ବିଶେଷକରି ଏହି ସଡକ ପ୍ରକଳ୍ପ ଦ୍ବାରା ଅନେକ ଗ୍ରାମାଞ୍ଚଳକୁ ସଂଯୋଗ ବ୍ୟବସ୍ଥା ସୁଗମ ହୋଇ ସେ ଅଞ୍ଚଳର ଭାଗ୍ୟୋଦୟ ହେବ । ଲୋକେ ଅଳ୍ପ ସମୟରେ ସହଜେରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବେ ଏବଂ ସେମାନଙ୍କ ଅର୍ଥନୀତିକ ପ୍ରକ୍ରିୟା ଉପରେ ଏହାର ଯଥେଷ୍ଟ ପ୍ରଭାବ ପଡିବ । ସେ ଅଞ୍ଚଳରେ ନୂଆ ନୂଆ ଶିଳ୍ପଦ୍ୟୋଗ ସ୍ଥାପନ ସହ ନିଯୁକ୍ତି ସୁଯୋଗ ବଢିବ ।
ଏସବୁ ଅଞ୍ଚଳରେ ଆଞ୍ଚଳିକ ବିକାଶ ଯୋଜନା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଏହି ବୈଠକରେ ସ୍ବତନ୍ତ୍ର ସଚିବ ସମ୍ପୃକ୍ତ ମନ୍ତ୍ରଣାଳୟ ଗୁଡିକ ଅନୁରୋଧ କରିଥିଲେ । ସମ୍ପୃକ୍ତ ରାଜ୍ୟ ସରକାରମାନେ ମଧ୍ୟ ଆବଶ୍ୟକ ସାହାଯ୍ୟ ସହଯୋଗ ଏଥିପାଇଁ ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଥିଲେ । ଯେଉଁ ଅଞ୍ଚଳର ଭିତ୍ତିଭୂମିର ଅଭାବ ରହିଛି ତାହାକୁ ଚିହ୍ନଟ କରି ସେଥି ପାଇଁ ସମନ୍ବିତ ଯୋଜନା କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରମାନଙ୍କୁ କହିବା ସହିତ ଏ କ୍ଷେତ୍ରରେ କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟ ଆବଶ୍ୟକ ସହଯୋଗ ଯୋଗାଇ ଦେବା ଉପରେ ଗୁରୁତ୍ବ ଦେଇଥିଲେ ।
ପିଏମ ଗତିଶକ୍ତି ଯୋଜନାରେ ସମନ୍ବିତ ଯୋଜନାକୁ ଅଗ୍ରାଧିକାର ଦିଆଯାଉଛି । ଏଥିରେ ମଲ୍ଟି ମୋଡାଲ କନେକ୍ଟିଭିଟି ଅଗ୍ରାଧିକାର ପାଇଛି । ଏହି ମଲ୍ଟି ମୋଡାଲ ବ୍ୟବସ୍ଥାରେ ରେଳ, ସଡକ,ବନ୍ଦର ଓ ଅନ୍ୟାନ୍ୟ ପରିବହନ ଭିତ୍ତିଭୂମି ଅନ୍ତର୍ଭୁକ୍ତ । ଯେଉଁ ଅଞ୍ଚଳ ଅବିକଶିତ ଓ ଯେଉଁଠି ସଂଯୋଗ ଓ ଭିତ୍ତିଭୂମି ବ୍ୟବସ୍ଥା ନାହିଁ ତାହାକୁ ଚିହ୍ନଟ କରି ମୋଡାଲ କନେକ୍ଟିଭିଟି ସୁବିଧା ଯୋଗାଇବାକୁ ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ମନ୍ତ୍ରଣାଳୟ ଓ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିତଭାବେ କାର୍ଯ୍ୟ କରାଯାଉଛି ।