ଓଡିଶା

odisha

By

Published : Feb 2, 2023, 10:30 PM IST

ETV Bharat / bharat

ଦୀର୍ଘ 25 ବର୍ଷର ଲିଭ-ଇନ୍‌ ରିଲେସନରେ ତିକ୍ତତା, ପାର୍ଟନରର ଏସିଡି ମାଡରେ ମହିଳା ମୃତ

ଦୀର୍ଘ 25 ବର୍ଷର ଲିଭଇନ୍‌ ରିଲେସନରେ ତିକ୍ତତାରୁ ନାରକୀୟ କାଣ୍ଡ । ପାର୍ଟନରର ଏସିଡ ମାଡର 18 ଦିନ ପରେ ଆଖି ବୁଜିଲେ ଚିକିତ୍ସାଧୀନ ପୀଡିତା । ପୋଲିସ କରୁଛି ତଦନ୍ତ । ଅଧିକ ପଢନ୍ତୁ

ଲିଭଇନ ପାର୍ଟନରର ଏସିଡ ମାଡରେ ମହିଳା ମୃତ
ଲିଭଇନ ପାର୍ଟନରର ଏସିଡ ମାଡରେ ମହିଳା ମୃତ

ହାଇଦ୍ରାବାଦ:ଦୀର୍ଘ 25 ବର୍ଷର ଲିଭ-ଇନ ସମ୍ପର୍କରେ ସୃଷ୍ଟି ହେଲା ତିକ୍ତତା । ପାର୍ଟନରର ଏସିଡ ମାଡରେ ପ୍ରାଣ ହରାଇଲେ 54 ବର୍ଷୀୟା ମହିଳା । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୁମ୍ବାଇରେ । ସହରର ଲୋକମାନ୍ୟ ତିଲକ ମାର୍ଗ ପୋଲିସ ଷ୍ଟେସନ ଅଞ୍ଚଳରେ ଏପରି ଏକ ଘଟଣା ଏବେ ଚର୍ଚ୍ଚାରେ ରହିଛି । ସ୍ଥାନୀୟ ମହେଶ ପୁଜାରୀ ନାମକ ଜଣେ 63 ବର୍ଷୀୟ ବୟସ୍କ ବ୍ୟକ୍ତି ନିଜ ଦୀର୍ଘ 25 ବର୍ଷର ଲିଭ-ଇନ ପାର୍ଟନର ଗୀତା ଗିରକର ନାମକ ଜଣେ ମହିଳାଙ୍କୁ ଏସିଡ ମାଡ କରିଥିଲେ । ଘଟଣାର 18 ଦିନ ପରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ମହିଳା ଆଜି ହସ୍ପିଟାଲରେ ଆଖି ବୁଜିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଭିଯୁକ୍ତ ମହେଶକୁ ଅଟକ ରଖି ଜେରା କରୁଛି ।

ପୋଲିସର ସୂଚନା ଅନୁସାରେ 63 ବର୍ଷୀୟ ମହେଶ ଓ 54 ବର୍ଷୀୟା ଗୀତା ଗିରକର ଦୀର୍ଘ 25 ବର୍ଷ ହେବ ଲିଭଇନରେ ରହିଆସୁଥିଲେ । ତେବେ ମହିଳାଜଣଙ୍କର କୌଣସି କାରଣରୁ ବିବାହ ବିଚ୍ଛେଦ ହୋଇଥିଲା । ସେହିପରି ମହେଶ ମଧ୍ୟ ପ୍ରଥମ ବିବାହ ପରେ ଏକା ରହୁଥିଲେ । ଏହି ଦୁଇଜଣ ପ୍ରାୟ ଦୀର୍ଘ 25 ବର୍ଷ ଧରି ଲିଭ-ଇନ ରିଲେସନସିପରେ ରହିଥିଲେ । ତେବେ ନିକଟରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ତେବେ ମହିଳାଜଣଙ୍କ ଆଉ ମହେଶଙ୍କ ସହ ରହିବା ପାଇଁ ଆଗ୍ରହ ପ୍ରକାଶ କରିନଥିଲେ । ଏଥିରେ ମହେଶ ଉତ୍ତେଜିତ ହୋଇ ମହିଳାଙ୍କୁ ଏସିଡ ମାଡ କରିଥିଲା ।

ମହିଳାଙ୍କ ମୁହଁ ଓ ଆଖି ସମେତ ଶରୀରର ଅନ୍ୟ କିଛି ଅଙ୍ଗରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ଆଜି ଘଟଣାର 18 ଦିନ ପରେ ସେ ଆଖି ବୁଜିଛନ୍ତି । ପୋଲିସ ଅଭିଯୁକ୍ତ ମହେଶ ବିରୋଧରେ ହତ୍ୟା ମାମଲା ଦାଏର କରି ତାକୁ ଗିରଫ କରିଛି । ସେ କେଉଁଠାରୁ ଏସିଡ କିଣିଲା ତାକୁ ନେଇ ମଧ୍ୟ ପୋଲିସର ତଦନ୍ତ ଜାରି ରହିଛି । ତଦନ୍ତର ଫଳାଫଳ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବା ନେଇ ପୋଲିସ କହିଛି । ତେବେ ଦୀର୍ଘ ଦୁଇ ଦଶନ୍ଧିର ସମ୍ପର୍କ ପରେ ମଧ୍ୟ ଏପରି ନାରକୀୟ କାଣ୍ଡ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details