ଲକ୍ଷ୍ନୌ:ସମଗ୍ର ଉତ୍ତର ଭାରତ ସହ ଉତ୍ତର ପ୍ରଦେଶରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ଗତ 72 ଘଣ୍ଟା ମଧ୍ୟରେ ବଲିଆ ଜିଲ୍ଲାରେ 54 ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏବେ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାୟ 4 ଶହରୁ ଅଧିକ ଅସୁସ୍ଥ ଚିକିତ୍ସାଧୀନ ରହିଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରୀଷ୍ମପ୍ରବାହ ନେଇ ଏକ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି । ଏବେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ରହିଛି । ଏହି ସ୍ଥିତି ଆଗାମି କିଛି ଦିନ ପର୍ଯ୍ୟନ୍ତ ଜାରି ମଧ୍ୟ ରହିପାରେ । ତେଣୁ ନିହାତି କିଛି ଜରୁରୀ ନଥିଲେ ମଧ୍ୟାହ୍ନ ସମୟରେ ଘରୁ ନବାହାରିବା ପାଇଁ ଗାଇଡ୍ଲାଇନରେ କୁହାଯାଇଛି ।
ବଲିଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ଏସ.କେ ଯାଦବଙ୍କ ସୂଚନା ଅନୁସାରେ, ଜିଲ୍ଲାରେ 15 ତାରିଖରେ ସର୍ବାଧିକ 23 ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଗତକାଲି ମଧ୍ୟ 11 ଜଣ ପ୍ରାଣ ହରାଇଛନ୍ତି । ହେଲେ ଆଜି ଏହି ସଂଖ୍ୟା 52ରେ ପହଞ୍ଚିଥିବା ବିଭିନ୍ନ ଜାତୀୟ ଗଣମଧ୍ୟମରେ ଖବର ପ୍ରସାରିତ ହୋଇଛି । ସରକାରୀ ଭାବେ ମୃତ୍ୟୁସଂଖ୍ୟା ବଢିବା ନେଇ କୌଣସି ସୂଚନା ପ୍ରଦାନ କରାଯାଇନାହିଁ । ଏବେ କେବଳ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ 4 ଶହରୁ ଅଧିକ ଅସୁସ୍ଥ ଚିକିତ୍ସାଧୀନ ରହିଛନ୍ତି । ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ଉତ୍ତର ପ୍ରଦେଶରେ ବିଜୁଳି ସମସ୍ୟା ମଧ୍ୟ ରହିଛି ।