ନୂଆଦିଲ୍ଲୀ:ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (MSME) ଏବଂ ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ସୋମବାର ସନ୍ଧ୍ୟାରେ 50ଟି ପାରମ୍ପରିକ ଶିଳ୍ପ କ୍ଲଷ୍ଟରଗୁଡିକର ପୁନଃନିର୍ମାଣ ପାଇଁ ପାଣ୍ଠିର କାରିଗର-ଆଧାରିତ ଯୋଜନା(SFURTI)ର ଉଦଘାଟନ କରିଛନ୍ତି । ଏହି ଯୋଜନା ଦେଶର 18ଟି ରାଜ୍ୟରେ ବିସ୍ତାର ହୋଇଥିବା ବେଳେ ପାରମ୍ପରିକ ଶିଳ୍ପ ସଂସ୍ଥା ଓ କାରିଗରଙ୍କ ବିକାଶ ପାଇଁ ଏହାକୁ ଉଦଘାଟନ କରାଯାଇଛି ।
ଏହି 50ଟି ପାରମ୍ପରିକ ଶିଳ୍ପରେ 42 ହଜାର କାରିଗର ଯୋଗ ଦେଇ ମୁସଲିନ, ଖଦି, ନଡ଼ିଆ କତା, ହସ୍ତଶିଳ୍ପ, ହସ୍ତତନ୍ତ, କାଠ ଶିଳ୍ପ, ଚମଡା, କୁମ୍ଭାର, କାର୍ପେଟ ବୁଣା, ବାଉଁଶ, କୃଷି ପ୍ରକ୍ରିୟାକରଣ, ଚା' ଆଦିରୁ ଜିନିଷ ପଦାର୍ଥ ପ୍ରସ୍ତୁତ କରି ଏକ ପାରମ୍ପରିକ ସେଗମେଣ୍ଟରେ ଯୋଗଦାନ କରିଥିଲେ । ତେବେ ଏହି 50ଟି ପାରମ୍ପରିକ ଶିଳ୍ପର ବିକାଶ ପାଇଁ MSME ମନ୍ତ୍ରଣାଳୟ 85 କୋଟି ଟଙ୍କା ବିନିଯୋଗ କରିଥିବା ଜଣାପଡିଛି ।
ପାରମ୍ପରିକ ଶିଳ୍ପ ସଂସ୍ଥା ଓ କାରିଗରଙ୍କ ବିକାଶ ସହିତ ଆୟ ବଢାଇବା ପାଇଁ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ (SFURTI)ର ଉଦଘାଟନ କରିଛନ୍ତି । ଉଦଘାଟନୀ ଉତ୍ସବରେ ଗଡକରୀ କହିଛନ୍ତି ଯେ ଗ୍ରାହକଙ୍କ ପାଇଁ କେଉଁ ପ୍ରକାରର ସାମଗ୍ରୀ ପ୍ରସ୍ତୁତ କରାଯିବ ଏବଂ ଏହାକୁ କିପରି ଆକର୍ଷଣୀୟ କରାଯାଇ ବଜାରରେ ବିକ୍ରି କରାଯାଇପାରିବ ଏହି ଦିଗ ଉପରେ ଗବେଷଣା କରିବା ଉଚିତ । ପାରମ୍ପରିକ ଉତ୍ପାଦର ଡିଜାଇନ ତଥା ଆକର୍ଷଣୀୟତା ବଢାଇବା ପାଇଁ ଅହମ୍ମଦାବାଦର ଜାତୀୟ ଡିଜାଇନ ସଂସ୍ଥା ସହିତ ସମ୍ପର୍କ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଦେଶ ଓ ଦେଶ ବାହାରେ ଏହି ଉତ୍ପାଦଗୁଡିକକୁ ବିକ୍ରି କରିବା ପାଇଁ ଆମାଜନ ଓ ଅଲିବାବାରେ ଉପଲବ୍ଧ ହେବା ଆବଶ୍ୟକ ।