ନୂଆଦିଲ୍ଲୀ: ବହୁପ୍ରତୀକ୍ଷିତ ଜି20 ରାଷ୍ଟ୍ରମୁଖ୍ୟ ବୈଠକର ପ୍ରଥମ କାର୍ଯ୍ୟଦିବସ ଆଜି ଶେଷ ହୋଇଛି । ଆଜି ପ୍ରଥମ ଦିନରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହା ମଧ୍ୟରେ ଅଫ୍ରିକୀୟ ୟୁନିୟନକୁ ଜି20ର ସଦସ୍ୟତା ପ୍ରଦାନ, ଦିଲ୍ଲୀ ଡିକ୍ଲାରେସନକୁ ସମ୍ମିଳନୀର ସମସ୍ତ ରାଷ୍ଟ୍ର ଶତ ପ୍ରତିଶତ ସହମତ ଭିତ୍ତିରେ ଗ୍ରହଣ କରିବା, ଅର୍ନ୍ତମହାଦେଶୀୟ ରେଳ ଓ ଜଳପଥ ଯୋଗାଯୋଗ ପାଇଁ କନେକ୍ଟିଭିଟି କରିଡର, ବାୟୋ ଫ୍ୟୁଏଲ ଆଲିଆନ୍ସ ଆଦି ପ୍ରସଙ୍ଗ ରହିଥିଲା । ପ୍ରଥମ ଦିନର ମୁଖ୍ୟ କାର୍ଯ୍ୟକ୍ରମ ସହ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ମଧ୍ୟ ହୋଇଛି । ପ୍ରଥମ ଦିବସକୁ ଫଳପ୍ରଦ କହିବା ସହ ଆସନ୍ତାକାଲି ପାଇଁ ପ୍ରସ୍ତୁତ ବୋଲି ଆମରିକା ରାଷ୍ଟ୍ରପତି ବାଇଡେନ ଟ୍ବିଟ କରି ଲେଖିଛନ୍ତି ।
ଆଫ୍ରିକୀୟ ୟୁନିୟନକୁ ସଦସ୍ୟତା:-
ଆଜି ଦୁଇ ଦିନିଆ ସମ୍ମିଳନୀର ପ୍ରଥମ ଅଧିବେଶନରେ ଆଫ୍ରିକୀୟ ୟୁନିୟନକୁ ଜି 20ର ସ୍ଥାନୀୟ ସଦସ୍ୟ ଭାବେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ନିଷ୍ପତ୍ତି ପରେ ଆଫ୍ରିକୀୟ ୟୁନିୟନର ଅଧ୍ୟକ୍ଷଙ୍କୁ ପ୍ରଧାନମନ୍ତ୍ରୀ ଆଲିଙ୍ଗନ କରିଥିଲେ । ଜି20ରେ ଆଫ୍ରିକୀୟ ୟୁନିୟନର ସଦସ୍ୟତା ନେଇ ସମସ୍ତଙ୍କ ସହମତି ରହିଥିବା ମଧ୍ୟ କହିଥିଲେ । ଜି 20ରେ ମୋଟ 20ଟି ଦେଶ ସଦସ୍ୟ ରହିଥିବା ବେଳେ ଆଫ୍ରିକୀୟ ୟୁନିୟନ ସଦସ୍ୟ ଭାବେ ସାମିଲ ହୋଇଛି । ଆଫ୍ରିକୀୟ ୟୁନିୟନରେ 50ରୁ ଅଧିକ ଦେଶ ସଦସ୍ୟ ଭାବେ ରହିଛନ୍ତି ।
ଦିଲ୍ଲୀ ଡିକ୍ଲାରେସନକୁ ପୂର୍ଣ୍ଣ ସମର୍ଥନ ଦେଲେ ବିଶ୍ବନେତା:-
ଜି20 ଶିଖର ସମ୍ମିଳନୀର ପ୍ରଥମ ଅଧିବେଶନରେ ଆୟୋଜକ ଭାରତକୁ ମିଳିଛି ବଡ ଉପଲବ୍ଧି । ଭାରତ ପ୍ରସ୍ତୁତ ଘୋଷଣାନାମା (ସଙ୍କଳ୍ପ)ରେ ସମସ୍ତ ଜି20 ସଦସ୍ୟ ରାଷ୍ଟ୍ର ପୂର୍ଣ୍ଣ ସହମତି ପ୍ରକାଶ କରିଛନ୍ତି । ଏହାର କିଛି ସମୟ ମଧ୍ୟରେ ଏହି ସଙ୍କଳ୍ପକୁ ସମ୍ମିଳନୀ ଦ୍ବାରା ଗ୍ରହଣ ମଧ୍ୟ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିବା ସହ ଏହି ସଂଙ୍କଳ୍ପପତ୍ର ପ୍ରସ୍ତୁତ କରିଥିବା କେନ୍ଦ୍ରମନ୍ତ୍ରୀ ଓ ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି ।
ଭାରତ-ମଧ୍ୟପ୍ରାଚ୍ଯ ଓ ପୂର୍ବ ୟୁରୋପ କନେକ୍ଟଭିଟି କରିଡର:-