ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଚତୁର୍ଥ ପର୍ଯ୍ୟାୟ ଡିଡିସି(ଜିଲ୍ଲା ବିକାଶ ପରିଷଦ) ନିର୍ବାଚନ ଜାରି । ସକାଳ 7ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ । କୋଭିଡ୍ ଗାଇଡଲାଇନ ମଧ୍ୟରେ ମତଦାନ କରୁଛନ୍ତି ମତଦାତା । 34ଟି ଆସନ ପାଇଁ ହେଉଛି ମତଦାନ ।
ଜମ୍ମୁ ଓ କାଶ୍ମୀରରେ ଚାଲିଥିବା ଡିଡିସି ନିର୍ବାଚନର ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ । ସମୁଦାୟ 280 ଆସନରୁ 34ଟି ଆସନ ପାଇଁ ହେଉଛି ଭୋଟଗ୍ରହଣ । ଯେଉଁଥିରେ ଜମ୍ମୁର 17ଟି ଆସନ ଥିବାବେଳେ କାଶ୍ମୀରର 17 ଟି ଆସନ ରହିଛି । ସେହିପରି 50ଟି ସରପଞ୍ଚ ଓ 216ଟି ପଞ୍ଚ ପାଇଁ ମଧ୍ୟ ଆଜି ଉପନିର୍ବାଚନ ହେଉଛି ।
ଡିଡିସି ନିର୍ବାଚନର 34ଟି ଆସନ ପାଇଁ 138 ପ୍ରାର୍ଥୀ ମୈଦାନରେ ଥିବାବେଳେ ସେମାନଙ୍କ ମଧ୍ୟରୁ 48 ଜଣ ମହିଳା ରହିଛନ୍ତି । ତେବେ 138 ପ୍ରାର୍ଥୀଙ୍କ ମଧ୍ୟରୁ କେବଳ ଜମ୍ମୁରେ 111 ଜଣ ପ୍ରାର୍ଥୀ ରହିଛନ୍ତି । ଏଥିରେ 34 ଜଣ ମହିଳା ପ୍ରାର୍ଥୀ ଥିବା ସୂଚନା ମିଳିଛି ।
ଅନ୍ୟପଟେ 50ଟି ସରପଞ୍ଚ ଉପନିର୍ବାଚନରେ 137 ଜଣ ପ୍ରାର୍ଥୀ ରହିଛନ୍ତି । ଏଥିରେ 47 ଜଣ ମହିଳା ଅଛନ୍ତି । ସେହିପରି, ସମୁଦାୟ 216 ପଞ୍ଚ ଉପନିର୍ବାଚନରେ 129 ଜଣ ମହିଳାଙ୍କୁ ମିଶାଇ ମୋଟ 478 ଜଣ ପ୍ରାର୍ଥୀ ରହିଛନ୍ତି ।
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ 717322 ଜଣ ମତଦାତା ନିଜର ମତ ସାବ୍ୟସ୍ତ କରିବେ । ଯେଉଁଥିରେ 376797 ଜଣ ପୁରୁଷ ଓ 340525 ମହିଳା ଭୋଟର ରହିଛନ୍ତି । 350149 ଜଣ ଜମ୍ମୁର ଭୋଟର ଥିବାବେଳେ 367173 ଜଣ କାଶ୍ମୀରର ରହିଛନ୍ତି ।