ଓଡିଶା

odisha

ETV Bharat / bharat

Manipur Students killing: 4 ଉଗ୍ରବାଦୀଙ୍କୁ ଗିରଫ କଲା CBI, ସମସ୍ତଙ୍କୁ ଆସାମ ସ୍ଥାନାନ୍ତର - ମଣିପୁରରେ ଛାତ୍ର ହତ୍ୟାକାଣ୍ଡ

ମଣିପୁରରେ ଦୁଇ ଛାତ୍ରଛାତ୍ରୀଙ୍କୁ ଅପହରଣ ଓ ହତ୍ୟା ଘଟଣାରେ 4 ଗିରଫ, 2 ଅଟକ । ସମସ୍ତ ଅଭିଯୁକ୍ତକୁ ଆସାମ ନେଲା ସିବିଆଇ । ଅଧିକ ପଢନ୍ତୁ

Manipur Students killing: 4 ଉଗ୍ରବାଦୀଙ୍କୁ ଗିରଫ କଲା CBI, ସମସ୍ତଙ୍କୁ ଆସାମ ସ୍ଥାନାନ୍ତର
Manipur Students killing: 4 ଉଗ୍ରବାଦୀଙ୍କୁ ଗିରଫ କଲା CBI, ସମସ୍ତଙ୍କୁ ଆସାମ ସ୍ଥାନାନ୍ତର

By ETV Bharat Odisha Team

Published : Oct 1, 2023, 7:54 PM IST

ଇମ୍ଫାଲ/ନୂଆଦିଲ୍ଲୀ:ମଣିପୁରରେ 2 ଛାତ୍ରଛାତ୍ରୀଙ୍କୁ ଅପହରଣ କରି ହତ୍ୟା କରିବା ଘଟଣାରେ ଆଜି CBI 4 ଉଗ୍ରବାଦୀଙ୍କୁ ଗିରଫ କରିଛି । ଅନ୍ୟ 2ଜଣଙ୍କୁ ଅଟକ ରଖି ଜେରା କରୁଛି ତଦନ୍ତକାରୀ ସଂସ୍ଥା । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ 2 ଜଣ ଯୁବକ ଓ ଅନ୍ୟ 2 ଜଣ ଯୁବତୀ ରହିଛନ୍ତି । ସେହିପରି ଅଟକ ରହିଥିବା ଦୁଇ ଅଭିଯୁକ୍ତ ମଧ୍ୟ ଯୁବତୀ । ଗିରଫଙ୍କ ମଧ୍ୟରେ ନାବାଳକ ଥିବା ମଧ୍ୟ କୁହାଯାଉଛି । ସମସ୍ତ ଅଭିଯୁକ୍ତଙ୍କୁ ଚୁରାଚାନ୍ଦପୁରର ପାହାଡି ଏରିଆରୁ ଗିରଫ କରାଯାଇଛି ।

ସମସ୍ତ ଅଭିଯୁକ୍ତ ଉଗ୍ରବାଦୀ କାର୍ଯ୍ୟକଳାପରେ ଲିପ୍ତ ଓ ଜାରି ରହିଥିବା ହିଂସାରେ ଜଡିତ ମଧ୍ୟ । ଜୁଲାଇ ମାସରେ ସେମାନେ ଏହି ଦୁଇ ମୈତେଇ ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କୁ ଚୁରାଚାନ୍ଦପୁରରୁ ଅପହରଣ କରି କିଛି ଦିନ ରଖିଥିଲେ ଓ ପରେ ହତ୍ୟା କରିଥିଲେ । ଗତ ସପ୍ତାହରେ ଦୁଇ ଛାତ୍ରଛାତ୍ରୀଙ୍କର ଅପହୃତ ଅବସ୍ଥାର ଫଟୋ ଭାଇରାଲ ହୋଇଥିଲା । ଯାହାକୁ ନେଇ ରାଜ୍ୟବ୍ୟାପି ଉତ୍ତେଜନା ପ୍ରକାଶ ପାଇଥିଲା ।

ଆଜି ସ୍ଥାନୀୟ ପୋଲିସ ଓ କେନ୍ଦ୍ରୀୟ ଫୋର୍ସର ଏକ ସ୍ବତନ୍ତ୍ର ଟିମ ଇନପୁଟ ସୂଚନା ଆଧାରରେ ଏହି ଅପରେସନରେ ସଫଳତା ପାଇଛନ୍ତି । ସିବିଆଇ ତତ୍ତ୍ବାବଧାନରେ ଗଠିତ ଏହି ସ୍ବତନ୍ତ୍ର ଟିମ୍‌ ଚୋରାଚାନ୍ଦପୁରର ପାହାଡି ଏରିଆରୁ ଏହି 4 ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ତୁରନ୍ତ ଇମ୍ଫାଲ ବିମାନ ବନ୍ଦରରେ ପହଞ୍ଚିଥିଲା । ସେଠାରେ ସିବିଆଇର ଆଉ ଏକ ଟିମ ପ୍ରସ୍ତୁତ ହୋଇ ରହିଥିଲା । ସମସ୍ତ ଅଭିଯୁକ୍ତଙ୍କୁ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ଆସାମକୁ ନିଆଯାଇଛି । ସଂଧ୍ୟା ପ୍ରାୟ 5.45 ମିନିଟରେ ସିବିଆଇ ଟିମ ସମସ୍ତ ଅଭିଯୁକ୍ତଙ୍କୁ ବିମାନରେ ଧରି ଆସାମ ଅଭିମୁଖେ ବାହାରିଥିବା ସୂଚନା ମିଳିଛି । ଗିରଫଦାରୀ ସମ୍ପର୍କରେ ନିଜ ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ ଟ୍ବିଟ କରି ସୂଚନା ଦେଇଛନ୍ତି ।

‘ଏକ୍ସ’ରେ ଟ୍ବିଟ କରି ମୁଖ୍ୟମନ୍ତ୍ରୀ ସିଂ ଲେଖିଛନ୍ତି,‘‘ ଫିଜାମ ହେମଞ୍ଜିତ ଏବଂ ହିଜାମ ଲିନଥୋଙ୍ଗାମ୍ବିଙ୍କୁ ଅପହରଣ ଓ ହତ୍ୟା ପାଇଁ ଦାୟୀ କେତେକ ମୁଖ୍ୟ ଅପରାଧୀଙ୍କୁ ଆଜି ଚୁରାଚାନ୍ଦପୁରରୁ ଗିରଫ କରାଯାଇଛି । ଅପରାଧ କରି କେହି ଖସି ଯାଇପାରିବେ ନାହିଁ । ଆଇନର ହାତ ବହୁତ ଲମ୍ବା । ଏହି ଜଘନ୍ୟ ଅପରାଧ ପାଇଁ ମୃତ୍ୟୁଦଣ୍ଡ ନିଶ୍ଚିତ କରିବାକୁ ଆମେ ପ୍ରୟାସ କରିବୁ । ’’

ଏହା ମଧ୍ୟ ପଢନ୍ତୁ:- ୨ ଛାତ୍ରଙ୍କ ହତ୍ୟା ପରେ ମଣିପୁରରେ ତେଜିଲା ହିଂସା; ପୁଣି ଇଣ୍ଟରନେଟ ସେବା ବନ୍ଦ

ସୂଚନା ଅନୁଯାୟୀ, ଜୁଲାଇ ୬ ତାରିଖରୁ ମୈତେଇ ସମ୍ପ୍ରଦାୟର ଜଣେ ନାବାଳିକା ଛାତ୍ରୀ ଓ ଜଣେ ଛାତ୍ର ନିଖୋଜ ଥିଲେ । 26 ତାରିଖରେ ଉଭୟଙ୍କ ଅପହୃତ ଅବସ୍ଥାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ସେମାନଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା । ମୃତ ଛାତ୍ର ୨୦ ବର୍ଷୀୟ ଫିଜାମ ହେମଜିତ ଓ ନାବାଳିକା ଛାତ୍ରୀ ୧୭ ବର୍ଷୀୟା ହିଜାମ ଲିନଥୋଇନଗାମ୍ବୀ ବୋଲି ପରିଚୟ ମିଳିଥିଲା । ଘଟଣା ସମ୍ପର୍କରେ ଖବର ପ୍ରସାରିତ ହେବା ପରେ ରାଜଧାନୀ ଇମ୍ଫାଲ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଥିଲେ । ଆଜି ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତଙ୍କୁ ସିବିଆଇ ଗିରଫ କରିବାରେ ସଫଳତା ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details