ଓଡିଶା

odisha

ETV Bharat / bharat

ମିଥୁନଙ୍କ ବିସ୍ଫୋରକ ବୟାନ, BJP ସହ ସମ୍ପର୍କରେ ଅଛନ୍ତି 38 TMC ବିଧାୟକ - ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ

ଦିଦି ଭୋଗିବେ କି ଉଦ୍ଧବଙ୍କ ଦଶା ! ବିସ୍ଫୋରକ ମନ୍ତବ୍ୟ ଦେଲେ ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ । କହିଲେ ବଙ୍ଗରେ BJP ସହ ସମ୍ପର୍କରେ ଅଛନ୍ତି TMC ର 38 ବିଧାୟକ। ରାଜନୈତିକ ହଲଚଲ ଆରମ୍ଭ । ଅଧିକ ପଢନ୍ତୁ

ମିଥୁନ ଚକ୍ରବର୍ତ୍ତୀଙ୍କ ବିସ୍ଫୋରକ ବୟାନ, ବିଜେପି ସହ ସମ୍ପର୍କରେ ଅଛନ୍ତି 38 ତୃଣମୂଳ ବିଧାୟକ
ମିଥୁନ ଚକ୍ରବର୍ତ୍ତୀଙ୍କ ବିସ୍ଫୋରକ ବୟାନ, ବିଜେପି ସହ ସମ୍ପର୍କରେ ଅଛନ୍ତି 38 ତୃଣମୂଳ ବିଧାୟକ

By

Published : Jul 27, 2022, 5:47 PM IST

କୋଲକାତା: ପଶ୍ଚିମବଙ୍ଗରେ ଦୁର୍ନୀତି ଅଭିଯୋଗରେ ED କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ବେଳେ, ଏବେ ବିଜେପି ନେତା ମିଥୁନ୍‌ ଚକ୍ରବର୍ତ୍ତୀଙ୍କ ଏକ ବିସ୍ଫୋରକ ବୟାନ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି । ମିଥୁନ କହିଛନ୍ତି, ବିଜେପି ସହ ସମ୍ପର୍କରେ ଅଛନ୍ତି ମମତାଙ୍କ 38 ବିଧାୟକ । ସେମାନଙ୍କ ମଧ୍ୟରୁ ପ୍ରାୟ 21 ବିଧାୟକ ସିଧାସଳଖ ତାଙ୍କ ସହ ବ୍ୟକ୍ତିଗତ ସମ୍ପର୍କରେ ଥିବା ମଧ୍ୟ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ମିଥୁନ ।

ମିଥୁନ କହିଛନ୍ତି, ବିଜେପିକୁ କେବଳ ସଂଖ୍ୟାଲଘୁ ବିରୋଧୀ ବୋଲି ଚିତ୍ରଣ କରିବା ପାଇଁ ଏକ ଷଡଯନ୍ତ୍ର ଜାରି ରହିଛି । ବାସ୍ତବିକ ସ୍ଥିତି କିନ୍ତୁ ଭିନ୍ନ । ତେବେ ବିଜେପି ସହ ଶାସକ ଦଳର ବିଧାୟକ ସମ୍ପର୍କରେ ଥିବା ବୟାନ ପରେ ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ ଆରମ୍ଭ ହୋଇଛି । ମିଥୁନଙ୍କ ଏପରି ସଙ୍କେତକୁ ଗତକିଛି ଦିନ ତଳେ ମହାରାଷ୍ଟ୍ରରେ ଦେଖିବାକୁ ମିଳିଥିବା ରାଜନୈତିକ ଷ୍ଟଣ୍ଟ ଓ କ୍ଷମତା ପରିବର୍ତ୍ତନ ଘଟଣା ସହ ଯୋଡି ଦେଖାଯାଉଛି ।

ତେବେ ସତରେ କ’ଣ ମମତାଙ୍କ କ୍ୟାମ୍ପରେ ଅଦୃଶ୍ୟ ଅସନ୍ତୋଷ ରହିଛି କି ? ଅସନ୍ତୋଷ ଜାହିର କରି ପାରୁନଥିବା ଶାସକ ବିଧାୟକ ଗେରୁଆ ଶିବିର ସହ ନିକଟକତର ହେଉଛନ୍ତି କି ? ଏପରି ଅନେକ ସମ୍ଭାବ୍ୟ ପ୍ରଶ୍ନକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ଅନ୍ୟପଟେ ମିଥୁନଙ୍କ ବୟାନ ନେଇ ଶାସକ ତୃଣମୂଳ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।

2021 ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ସମସ୍ତ ଶକ୍ତି ଲଗାଇ ମଧ୍ୟ ମମତା ବାନାର୍ଜୀଙ୍କୁ କ୍ଷମତାକୁ ଦୂରାଇ ରଖିବାରେ ସଫଳ ହୋଇ ପାରିନଥିଲା । ଟିଏମସିରୁ ଅଲଗା ହୋଇ ଦିଦିଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଇଥିବା ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ମମତା ପରାଜିତ ହୋଇଥିଲେ ସୁଦ୍ଧା ବହୁମତ କାରଣରୁ ସରକାର ଗଠନ କରିବା ସହ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ । ବିଜେପିକୁ ବିରୋଧୀ ଦଳ ଭୂମିକାରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ବିଜେପି କ୍ଷମତାକୁ ଆସିଲେ ଶୁଭନ୍ଦୁ ମୁଖ୍ୟମନ୍ତ୍ରୀ ହେବା ଚର୍ଚ୍ଚା ଜୋର ଧରିଥିବା ବେଳେ ଫଳାଫଳ ପରେ ଶୁଭେନ୍ଦୁ ବିରୋଧୀ ଦଳ ନେତା ହୋଇଥିଲେ ।

ତେବେ ନିକଟରେ ଅନ୍ୟ କିଛି ରାଜ୍ୟର ରାଜନୈତିକ କ୍ରମଃବିକାଶକୁ ଗମ୍ଭୀରତାର ସହ ବିଚାରକୁ ନେଲେ ମିଥୁନଙ୍କ ବିସ୍ଫୋରକ ବୟାନ ପରେ ପଶ୍ଚିମବଙ୍ଗରେ ମଧ୍ୟ ସେପରି କିଛି ଘଟିବା ପାଇଁ କ୍ଷେତ୍ର ପ୍ରସ୍ତୁତ ଚାଲିଥିବା ପରି ଅନୁମାନ କରୁଛନ୍ତି ରାଜନୈତିକ ବିଶ୍ଳେଷକ । ତେବେ ଅନ୍ୟପଟେ ଦୁର୍ନୀତି ମାମଲାରେ ମମତାଙ୍କର ଜଣେ ବରିଷ୍ଠ ମନ୍ତ୍ରୀଙ୍କୁ ଇଡି ଗିରଫ କରିଥିବା ବେଳେ ଅନ୍ୟ କିଛି ବିଧାୟକ ମଧ୍ୟ ଏହି ତଦନ୍ତ ପରିସରକୁ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details