ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମପ୍ରବାହ । ଗତ ଦୁଇଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି କାରଣରୁ 34ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଏହି ଗ୍ରୀଷ୍ମ ପ୍ରବାହ ଆଉ କିଛି ଦିନ ପର୍ଯ୍ୟନ୍ତ ମଧ୍ୟ ଜାରି ରହିବ । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ରାଜ୍ୟବାସୀଙ୍କ ପାଇଁ ନିର୍ଦ୍ଦେଶାବଳି ଜାରି କରିଛି । ମଧ୍ୟାହ୍ନ ସମୟରେ କାମ ନଥିଲେ ଘରୁ ନବାହାରିବା ସହ ସବ ବିଶେଷ ଭାବେ 60ରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ବାହାରକୁ ନଯିବା ପାଇଁ ସ୍ବାସ୍ଥ୍ୟ ବିଭାଗ କହିଛି ।
ସରକାରଙ୍କ ସୂଚନା ଅନୁସାରେ, ଗତ ଗୁରୁବାର ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ 23 ଜଣଙ୍କର ମୃତ୍ୟୁ ଘଟିଥିଲା । ଗତକାଲି (ଶୁକ୍ରବାର) ବିଭିନ୍ନ ସ୍ଥାନରୁ ଅନ୍ୟ 11 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୋଟ ମୃତ୍ୟୁସଂଖ୍ୟା 34ରେ ପହଞ୍ଚିଥିବା ସରକାରୀ ତଥ୍ୟ କହୁଛି ।
ପାଣିପାଗ ବିଭାଗର ତଥ୍ୟରୁ ଜଣାପଡିଛି ଯେ, ରାଜ୍ୟର ବିଭିନ୍ନ ସ୍ଥାନରେ ଶୁକ୍ରବାର ସର୍ବାଧିକ 42.2 ଡିଗ୍ରୀ ସେଲସିୟସ (108 ଡିଗ୍ରୀ ଫାରେନାଇଟ୍) ତାପମାତ୍ରା ରେକର୍ଡ କରାଯାଇଛି । ପ୍ରବଳ ଗ୍ରୀଷ୍ମପ୍ରବାହ ସାରା ରାଜ୍ୟରେ ବିଦ୍ୟୁତ ସରବରାହ ସଙ୍କଟ ମଧ୍ୟ ନାହିଁନଥିବା ସମସ୍ୟା ସୃଷ୍ଟି କରୁଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛନ୍ତି, ରାଜ୍ୟରେ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି ।