ଲକ୍ଷ୍ନୌ:ଆସନ୍ତାବର୍ଷ ଜାନୁଆରୀରେ ରାମ ଜନ୍ମଭୂମି ଅଯୋଧ୍ୟାରେ ପ୍ରତିଷ୍ଠା ହେବାକୁ ଯାଉଛି ବହୁପ୍ରତୀକ୍ଷିତ ରାମ ମନ୍ଦିର । ଏଥିପାଇଁ ସାରା ଦେଶରେ ଉତ୍କଣ୍ଠା ରହିଛି । ପ୍ରତିଷ୍ଠା ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରିବା ପ୍ରକ୍ରିୟା ମଧ୍ୟ ଖୁବ ଜୋରରେ ଜାରି ରଖିଛି ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ । ତେବେ ମନ୍ଦିରରେ ରାମଲାଲାଙ୍କ ପୂଜାର୍ଚ୍ଚନା ଓ ବିଭିନ୍ନ ନୀତିକାନ୍ତି ପାଇଁ ଆବଶ୍ୟକ ପୂଜାରୀ ତଥା ସେବାୟତଙ୍କ ନିଯୁକ୍ତି ପାଇଁ ଯେଉଁ ବିଜ୍ଞାପନ ପ୍ରକାଶ ପାଇଥିଲା, ସେଥିରେ ଅସମ୍ଭବ ଉତ୍ସାହ ଦେଖିବାକୁ ମିଳିଛି । ମନ୍ଦିରର ବିଭିନ୍ନ ସେବା, ପୂଜା, ନୀତିକାନ୍ତି ପାଇଁ ମୋଟ 200 ପୂଜକଙ୍କ ନିଯୁକ୍ତି ନେଇ ଟ୍ରଷ୍ଟ ବିଜ୍ଞପ୍ତି ପ୍ରକାଶ କରିଥିବା ବେଳେ ଏଥିପାଇଁ 3 ହଜାରରୁ ଅଧିକ ଆଶାୟୀ ଆବେଦନ କରିଥିବା ଜଣାପଡିଛି ।
ତେବେ ଟ୍ରଷ୍ଟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆବେଦନକାରୀଙ୍କ ମଧ୍ୟରୁ ଆବଶ୍ୟକ 2 ଶହ ପଦବୀ ପାଇଁ ପୂଜକ ଚୟନ ପ୍ରକ୍ରିୟା ଆରମ୍ଭ ହେବ । ସାକ୍ଷାତକାର ମାଧ୍ୟମରେ ଯୋଗ୍ୟ ବ୍ରାହ୍ମଣଙ୍କୁ ବିଭିନ୍ନ ପଦବୀରେ ନିଯୁକ୍ତି ମିଳିବ । ଏଥିପାଇଁ ଅଯୋଧ୍ୟା ସ୍ଥିତ ବିଶ୍ବ ହିନ୍ଦୁ ପରିଷଦର ମୁଖ୍ୟାଳୟରେ ଥିବା କରସେବକ ପୁରମରେ ଏହି ଚୟନ ପାଇଁ ସାକ୍ଷାତକାର କାର୍ଯ୍ୟକ୍ରମ ରଖାଯାଇଛି । ତେବେ ଏହି ଆଶାୟୀଙ୍କ ପରୀକ୍ଷା ନେବା ପାଇଁ ଏକ ଉଚ୍ଚସ୍ତରୀୟ ପ୍ୟାନେଲ ମଧ୍ୟ ଗଠିତ ହେବାକୁ ଯାଉଛି । 3 ଜଣିଆ ପ୍ୟାନେଲରେ ବୃନ୍ଦାବନର ପ୍ରଖ୍ୟାତ ହିନ୍ଦୁ ଧର୍ମ ଗବେଷକ ଜୟନ୍ତ ମିଶ୍ର ଓ ଅଯୋଧ୍ୟାରୁ ଦୁଇ ମହନ୍ତ ମିଥିଳେଶ ନନ୍ଦିନୀ ଶରଣ ଓ ସତ୍ୟ ନାରାୟଣ ଦାସ ରହିବେ । ଟ୍ରଷ୍ଟ ମଧ୍ୟ ଏହି କମିଟି ପାଇଁ 20 ଜଣଙ୍କ ନାମ ଚୂଡାନ୍ତ କରିବ ।
ତେବେ ଯୋଗ୍ୟତା ଆଧାରରେ ଏହି ପୂଜକମାନେ ଚୟନ ହେବା ପରେ ସେମାନେ 6 ମାସ ପ୍ରଶିକ୍ଷଣ ଗ୍ରହଣ କରିବେ । ଏହା ପରେ ସେମାନଙ୍କୁ ବିଭିନ୍ନ ସେବା ପୂଜା ଓ ନୀତିକାନ୍ତିରେ ନିଯୁକ୍ତ କରାଯିବ । ଯେଉଁମାନେ ଚୟନ ହେବେ ନାହିଁ ସେମାନେ ଚାହିଁଲେ ପ୍ରଶିକ୍ଷଣ ଗ୍ରହଣ କରିପାରିବେ ଓ ସେମାନଙ୍କୁ ଏକ ପ୍ରମାଣପତ୍ର ପ୍ରଦାନ କରାଯିବା ନେଇ ଟ୍ରଷ୍ଟ କୋଷାଧ୍ୟକ୍ଷ ଗୋବିନ୍ଦ ଦେବଗିରି କହିଛନ୍ତି । ଏହି ପ୍ରଶିକ୍ଷଣ ଅବଧି ମଧ୍ୟରେ ସେମାନେ ସନାତନ ଧର୍ମର ଏକ ନିର୍ଦ୍ଦିଷ୍ଟ ପାଠ୍ୟକ୍ରମର ଅଧ୍ୟୟନ ସମ୍ପୂର୍ଣ୍ଣ କରିବେ । ଏହି ପ୍ରଶିକ୍ଷଣ ପାଇଁ ପାଠ୍ୟକ୍ରମ ଶୀର୍ଷ ସନାତନ ପଣ୍ଡିତଙ୍କ ଦ୍ବାରା ନିର୍ଦ୍ଧାରିତ କରାଯାଉଛି । ସେବା ପୂଜାରେ ନିଯୁକ୍ତି ହେବା ପରେ ସେମାନଙ୍କ ଖାଇବା ଓ ରହଣୀ ପରି ସମସ୍ତ ଆନୁସଙ୍ଗୀକ ବ୍ୟବସ୍ଥା ମନ୍ଦିର ଟ୍ରଷ୍ଟବୋର୍ଡ ବହନ କରିବ । ସେମାନେ ମାସିକ 2,000 ଟଙ୍କାର ଭତ୍ତା ମଧ୍ୟ ପାଇବେ ।