ଶ୍ରୀନଗର:ଜାମ୍ମୁ କାଶ୍ମୀରର ସୋପିଆନ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ 3 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଏନକାଉଣ୍ଟରରେ 4 ଜଣ ଯବାନ ମଧ୍ୟ ଆହତ ହୋଇଥିବା ସୂଚନା ରହିଛି ।
ସୋପିଆନ୍ ସହରର ଜନମୋହଲା ଠାରେ 2 ରୁ 3 ଜଣ ଆତଙ୍କବାଦୀ ଏକ ଘର ଭିତରେ ଲୁଚି ରହିଥିବା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସୁରକ୍ଷାବଳ । ତେବେ ସୁରକ୍ଷା ବଳ ଆତଙ୍କୀଙ୍କୁ ଘେରାବନ୍ଦୀ କରିଥିଲା । ତେବେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବାବେଳେ 3 ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବଳ । ନିହତ ଆତଙ୍କବାଦୀ ଅଲ-କାଏଦାର ଆତଙ୍କୀ ସଂଗଠନର ସଦସ୍ୟ ଥିବା ପ୍ରାଥମିକ ଭାବେ ଜଣାପଡିଛି । ଏହି ଅପରେସନ୍ ସମ୍ପର୍କରେ ଟ୍ବିଟ୍ କରି କାଶ୍ମୀର ଜୋନ୍ ପୋଲିସ ସୂଚନା ଦେଇଛି ।