ଭୁବନେଶ୍ବର: ମୋଦି ସରକାରଙ୍କ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣରେ 3 ଓଡିଆ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି 3 ଓଡିଆଙ୍କୁ ଗୁରୁତ୍ବ ଦାୟିତ୍ବ ଦେଇଛନ୍ତି । ଓଡିଶାର ଆଶାଠୁ ମୋଦି ସରକାର ଢେର ଅଧିକ ଦେଇଛନ୍ତି ।
ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବଙ୍କୁ ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ମନ୍ତ୍ରଣାଳୟ ସହିତ ମିଳିଛି ରେଳ ବିଭାଗ । ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁ଼ଡୁଙ୍କୁ ମିଳିଛି ଜଳଶକ୍ତି ଓ ଆଦିବାସୀ ବ୍ୟାପାର ବିଭାଗ । ଟୁଡୁ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଭାବେ ନୂଆ ଦାୟିତ୍ବ ପାଇଛନ୍ତି । ସେହିପରି ପୂର୍ବତନ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଛି ଶିକ୍ଷା ବିଭାଗ । ଭାରତର ବିକାଶରେ ଶିକ୍ଷାର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା ।
ପ୍ରଧାନମନ୍ତ୍ରୀ ଓଡିଶା କ୍ୟାଡରର ପୂର୍ବତନ IAS ଅଧିକାରୀଙ୍କ ଉପରେ ଗଭୀର ବିଶ୍ବାସ ପ୍ରଦର୍ଶନ କରି ତାଙ୍କ ହାତରେ ଗୁରୁତ୍ବପୂର୍ଣ୍ଣ ବିଭାଗ ଦେଇଛନ୍ତି । 1999 ମସିହା ଓଡିଶାରେ ସୁପର ସାଇକ୍ଲୋନ ସମୟରେ ଅଶ୍ବିନୀ ଜଣେ ପ୍ରଶାସକ ଭାବରେ ତାଙ୍କର ବଳିଷ୍ଠ ଭୂମିକା ପ୍ରତିପାଦନ କରିଥିଲେ । ଏହାସହିତ PPP ଫ୍ରେମୱାର୍କ ଭିତ୍ତିଭୂମିରେ ଦେଇଥିବା ଅବଦାନ ପାଇଁ ଅଶ୍ବିନୀ ବିଶେଷ ଭାବରେ ଜଣାଶୁଣା । ସେ ପେନସିଲଭାନିଆ ବିଶ୍ବବିଦ୍ୟାଳୟରୁ MBA ଡ଼ିଗ୍ରୀ ହାସଲ କରିଥିବା ବେଳେ IIT କାନପୁରରେ MTech କରିଥିଲେ ।