ଶ୍ରୀନଗର: ଭାରତୀୟ ସେନାର ଜାରି ରହିଛି ଆତଙ୍କୀ ଦମନ ଅଭିଯାନ । ସୀମାରେ ଦେଶକୁ ସୁରକ୍ଷା ଦେଇ ଆସୁଥିବା ଯବାନ ଆତଙ୍କବାଦୀଙ୍କ ନିପାତ କିରବାରେ ସଫଳତା ପରେ ସଫଳତା ହାସଲ କରିଛନ୍ତି। ଆଜି (ମଙ୍ଗଳବାର) ଜମ୍ମୁ କାଶ୍ମୀର ପୋଲିସ ଓ ସୁରକ୍ଷାବାହିନୀ ଲସ୍କର ଏ- ତୋଏବାର 3 ଆତଙ୍କୀଙ୍କୁ କାବୁ କରିଛନ୍ତି । ବାରମୁଲ୍ଲା ଜିଲ୍ଲା ସୋପର ଅଞ୍ଚଳରୁ ଏହି ଆତଙ୍କୀଙ୍କୁ ଧରିଛି ସୁରକ୍ଷାବାହିନୀ । ସେମାନଙ୍କ ନିକଟରୁ ଗୁଳିଗୋଳା ସହିତ ବିଭିନ୍ନ ମରଣାସ୍ତ୍ର ଜବତ ହୋଇଛି । ଏହି 3 ଜଣଙ୍କୁ ବାନ୍ଧିବା ସୁରକ୍ଷାକର୍ମୀଙ୍କ ପାଇଁ ଆତଙ୍କୀ ଲିଙ୍କ ପର୍ଦାଫାଶ କରିବାରେ ସହାୟକ ହେବ ।
ଗିରଫ 3 ଆତଙ୍କୀ ହେଲେ ତୁଫାଲି ମଜିଦ ମିର, ଅହମ୍ମଦ ମିର ଓ ସବିର ଅହମ୍ମଦ ୱାଗେ । ସ୍ଥାନୀୟ ଅଞ୍ଚଳରେ ଆତଙ୍କୀ ଗତିବିଧି ନେଇ ସୁରକ୍ଷାକର୍ମୀ ସୂଚନା ପାଇଥିଲା । ପୋଲିସ ଦ୍ବାରା ଏକ ସ୍ବତନ୍ତ୍ର ଚେକ ପଏଣ୍ଟ କରାଯାଇଥିଲା । 22 ରାଷ୍ଟ୍ରୀୟ ରାଇଫଲ(RR) ଏବଂ 179 ବାଟାଲିୟନ ସିଆରପିଏଫ ସନୱାମି ବ୍ରିଜ ନିକଟରେ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।