ହାଇଦ୍ରାବାଦ:ବନ୍ଧୁତ୍ବ ଦିବସରେ ତେଲେଙ୍ଗାନାର ନିଜାମବାଦ ଜିଲ୍ଲାରେ ଘଟିଛି ଅଘଟଣ । ବନ୍ଧୁର ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ଚାଲିଗଲା ଆଉ ୩ ବନ୍ଧୁଙ୍କ ଜୀବନ । ପାଣିରେ ବୁଡିଯାଉଥିବା ବନ୍ଧୁଙ୍କୁ ବଞ୍ଚାଇବା ବେଳେ ଘଟିଛି ଏହି ଅଘଟଣ । ପୋଲିସ ରବିବାର ୩ ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା । ତେବେ ଅନ୍ୟ ୩ ଜଣଙ୍କ ମୃତଦେହକୁ ଆଜି(ସୋମବାର) ପୋଲିସ ଉଦ୍ଧାର କରିଛି ।
ପାଣିରେ ବୁଡିଯାଉଥିବା ଜଣେ ବନ୍ଧୁଙ୍କୁ ବଞ୍ଚାଇବା ପାଇଁ ୬ ଜଣ ପାଣିରେ ବୁଡିଯାଇଥିବା ଜଣାପଡିଛି । ଏହି ଘଟଣା ନିଜାମବାଦର ନନ୍ଦିପେଟ ଅଞ୍ଚଳରେ ଘଟିଛି । ବନ୍ଧୁତ୍ବ ଦିବସରେ ମଜା କରିବା ପାଇଁ ପାଣିରେ ଗାଧୋଇବାକୁ ଯାଇଥିଲେ କିଛି ବନ୍ଧୁ । ସେଠାରେ କିଛି ସମୟ ଗାଧୋଇବା ସହିତ ଫଟୋ ମଧ୍ୟ ଉଠାଇଥିଲେ । ସେମାନଙ୍କ ମଧ୍ୟରୁ ଶିବା ନାମକ ଜଣେ ଯୁବକ ବୁଡିଯିବା ପରେ ତାକୁ ବଞ୍ଚାଇବା ପାଇଁ ଅନ୍ୟ ଯୁବକ ଉଦୟ, ରାହୁଲ, ସାଇକ୍ରିଷ୍ଣା, ରୋହିତ ଓ ରାଜେନ୍ଦ୍ର ମଧ୍ୟ ବୁଡିଯାଇଥିଲେ ।