ରାଞ୍ଚି:ଝାଡ଼ଖଣ୍ଡର ଚାଇବସା ସହରରେ ଗୁରୁବାର ଆଇଡି ବିସ୍ଫୋରଣ ହୋଇଛି । ନକ୍ସଲଙ୍କ ଦ୍ବାରା ଏହି ବିସ୍ଫୋରଣ ହୋଇଥିବା କୁହାଯାଉଥିବା ବେଳେ ୩ ଜଣ ସିଆରପିଏଫ(CRPF) ଯବାନ ଆହତ ହୋଇଛନ୍ତି । ଆହତ ହୋଇଥିବା ପାରାମିଲିଟାରୀ ଫୋର୍ସର କୋବ୍ରା ବାଟାଲିୟନ ସେନାଙ୍କୁ ଏୟାରଲିଫ୍ଟ କରାଯାଇ ରାଞ୍ଚିକୁ ସ୍ଥାନାନ୍ତରିତ କରାଯାଇଛି । ସୂତ୍ରର ସୂଚନା ଅନୁସାରେ ସେନାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି ।
ବିସ୍ଫୋରଣର ଶିକାର ହୋଇଥିବା ୩ CRPF ଯବାନ ହେଉଛନ୍ତି ଅମରେଶ ସିଂ, ସୌରଭ କୁମାର ଓ ସନ୍ତୋଷ ସିଂ । ବୁଧବାର ଦିନ ମଧ୍ୟ ଏହି ସ୍ଥାନରେ ସମାନ ଘଟଣା ଘଟିଥିଲା । ଯେଉଁଥିରେ ପାରାମିଲିଟାରୀ ଫୋର୍ସର ୬ ଜଣ ଯବାନ ଆହତ ହୋଇଥିଲେ । ସେମାନଙ୍କୁ ମଧ୍ୟ ଏୟାରଲିଫ୍ଟ ଦ୍ବାରା ରାଞ୍ଚିକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା । ଗୁରୁବାରର ଏହି ବିସ୍ଫୋରଣ ନେଇ ଚାଇବସା ଏସପି ଆଶୁତୋଷ ଶେଖର କହିଛନ୍ତି ଯେ ଏହି ଅଞ୍ଚଳରେ ମାଓ ଦମନ ଅପରେସନ ଜାରି ରହିଛି ।