ବେଙ୍ଗାଲୁରୁ: ଟିକା ନେବା ହେଲା କାଳ । ମୃତ୍ୟୁ ମୁଖରେ ପଡିଲେ ୩ କଅଁଳ ଶିଶୁ । ତେବେ ଏହା କୋରୋନା ଟିକା ନୁହେଁ, ଏହା ହେଉଛି ଭାଇରସ ଜନିତ ରୁବେଲା ରୋଗ । ଏହି ରୋଗକୁ ଜର୍ମାନ ମିଳିମିଆ କୁହାଯାଉଥିବାବେଳେ ଏଥିରେ ଆକ୍ରାନ୍ତ ଶିଶୁଙ୍କ ଶରୀରରେ ନାଲି ନାଲି ଫଳି ଯିବା ସହିତ କୁଣ୍ଡାଇ ହୁଏ । ତେବେ ଏହି ରୋଗରୁ ବର୍ତ୍ତିବା ପାଇଁ ଟିକା ନେବା ପରେ କର୍ଣ୍ଣାଟକର ବେଲାଗଭି ଜିଲ୍ଲା ରାମଦୁର୍ଗାଠାରେ ୩ ଜଣ ଶିଶୁ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।
ଗତ ଜାନୁଆରୀ ୧୨ ତାରିଖରେ ରାମଦୁର୍ଗାରେ ଥିବା ସଲଘାଲି ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ମୋଟ ୨୧ ଜଣ ଶିଶୁଙ୍କୁ ଟିକା ଦିଆଯାଇଥିଲା । ସେଥି ମଧ୍ୟରୁ ୪ ଜଣଙ୍କୁ ଏହି ରୁବେଲା ରୋଗ ବିରୋଧରେ ଟିକା ଦିଆଯାଇଥିଲା । ଏହାପରେ ଉକ୍ତ ୪ ଜଣ ଶିଶୁ ରୋଗାଗ୍ରସ୍ତ ହେବା ସହିତ ରାମଦୁର୍ଗା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ୩ ଜଣ ଶିଶୁ ପବିତ୍ରା ହୁଲାଗୁର(୧୩ ମାସ), ମଧୁ ଉମେଶ କୁରାଗୁଣ୍ଡି(୧୪ ମାସ), ଚେତନା(୧୫ ମାସ) ମୃତ୍ୟୁବରଣ କରିଛନ୍ତି ।