ମୁମ୍ବାଇ:ଆସନ୍ତାକାଲି ଠାରୁ ମୁମ୍ବାଇରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର 3ୟ ଦୁଇଦିନିଆ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଓ ମେଣ୍ଟ ଆବାହକ ଘୋଷଣା ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି । ମେଣ୍ଟରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରଜେକ୍ଟ କରିବା ପାଇଁ ଯୋଜନାରେ ଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ଆଜି ଏକାଧିକ ବଡ ନେତା ମୁମ୍ବାଇରେ ପହଞ୍ଚିବାରେ ଲାଗିଛନ୍ତି । ଆସନ୍ତାକାଲି ମୋଟ 28 ରାଜନୈତିକ ଦଳର ପ୍ରାୟ 63 ନେତା ଅଂଶଗ୍ରହଣ କରୁଥିବା ସ୍ପଷ୍ଟ କରିଛନ୍ତି ଏନସିପି ମୁଖ୍ୟ ଶରଦ ପାଓ୍ବାର । ଏପଟେ ବିଜେପି ସହିତ ଅଛନ୍ତି ମାୟାବତୀ ବୋଲି କହିଲେ ଶରଦ ।
ଆଜି ବୈଠକ ପୂର୍ବର ଏହି 82 ବର୍ଷୀୟ ଭେଟେରାନ ରାଜନେତା ଶରଦ କହିଛନ୍ତି, ମୋଟ 28ଟି ରାଜନୈତିକ ଦଳରୁ 63 ଜଣ ନେତା ଆସନ୍ତାକାଲି ବୈଠକରେ ଅଂଶଗ୍ରହ କରିବା ପାଇଁ ମୁମ୍ବାଇ ଆସୁଛନ୍ତି । ବର୍ତ୍ତମାନର ସରକାରର ଏକ ବିକଳ୍ପ ସୃଷ୍ଟି କରିବାରେ ଏହି ବିରୋଧୀ ମେଣ୍ଟ (ଇଣ୍ଡିଆ) ସଫଳ ହେବା ନେଇ ସେ ଆଶାବାଦୀ ମଧ୍ୟ ରହିଛନ୍ତି । ସେହିପରି ଶିବସେନା ଉଦ୍ଭବ ଗୋଷ୍ଠୀ ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି, ଦେଶକୁ ବଞ୍ଚାିବା ପାଇଁ ବିରୋଧୀମାନେ ଏକାଠି ହୋଇଛନ୍ତି ।
ଆଜି ମୁମ୍ବାଇରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପହଞ୍ଚିଛନ୍ତି । ଗତକାଲି ଲାଲୁ ଓ ପୁଅ ତେଜସ୍ବୀ ଯାଦବ ମୁମ୍ବାଇରେ ପହଞ୍ଚି ସାରିଛନ୍ତି । ଆଜି ସଂଧ୍ୟା ସୁଦ୍ଧା ପ୍ରାୟ ସମସ୍ତ ସହଯୋଗୀ ଦଳର ମୁଖ୍ୟ ଓ ପ୍ରମୁଖ ନେତାମାନେ ମୁମ୍ବାଇରେ ପହଞ୍ଚିବେ । ଆସନ୍ତାକାଲି ଓ ସେପ୍ଟେମ୍ବର ପହିଲାରେ ଦୁଇ ଦିନି ଧରି ହେବାକୁ ଥିବା ବୈଠକରେ ବଡ ଘୋଷଣା ହେବା ନେଇ ଆଶା କରାଯାଉଛି । ମୁଖ୍ୟତଃ ମେଣ୍ଟର ଆବାହକ ପଦ, ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଓ ଲୋଗୋ ସହିତ ସାଙ୍ଗଠନିକ ଦାୟିତ୍ବ ବଣ୍ଟନ ଆଦି ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି ।
ଏହାରି ମଧ୍ୟରେ ଅନ୍ୟ କିଛି ଛାମୁଆ ନେତା ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଆଶାୟୀ ତାଲିକାରେ ଯୋଡି ହେଲେଣି । ଆମ ଆଦମୀ ପାର୍ଟି ପ୍ରତିଷ୍ଠାତା ତଥା ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନାମ ମଧ୍ୟ ଯୋଡି ହୋଇଛି । କେଜ୍ରିଓ୍ବାଲଙ୍କୁ ଦଳ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଦେଖିବାକୁ ଚାହୁଁଥିବା କହିଛନ୍ତି ଦଳର ଜାତୀୟ ମୁଖପାତ୍ର ପ୍ରିୟଙ୍କା କାକ୍କର । ପ୍ରିୟଙ୍କାଙ୍କ ଏପରି ଇସାରା ପରେ ଆମ ଆଦମୀ ପାର୍ଟି କେଜ୍ରିଓ୍ବାଲଙ୍କୁ ନେଇ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା ଆଶାରେ ଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।