ଗୌହାଟି: ଆସାମର ଶିବସାଗର ଜିଲ୍ଲାରେ ବିଷାକ୍ତ ଖାଦ୍ୟ ଖାଇ ପ୍ରାୟ ୨୫ ଶାଗୁଣାଙ୍କର ମୃତ୍ୟୁ ହୋଇଛି । ଏମାଙ୍କ ସହ ୮ ଶାଗୁଣା ଗୁରୁତର ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ କୀଟନାଶକ ମିଶିଥିବା ଗୋରୁଙ୍କ ମୃତଦେହ ଖାଇବା ପରେ ଏହି ଶାଗୁଣାଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଆସାମର ଶିବସାଗର ଜିଲ୍ଲା ନୌଜାନ ଅଞ୍ଚଳରେ ।
୨୫ ଲୁପ୍ତପ୍ରାୟ ଶାଗୁଣାଙ୍କ ଏଭଳି ମୃତ୍ୟୁ ନେଇ ଜଣେ ବନ ଅଧିକାରୀ କହିଛନ୍ତି, "ମୃତ୍ୟୁ ଘଟିଥିବା ଶାଗୁଣାଙ୍କର ମୃତଦେହ ପଡ଼ିଥିବା ସ୍ଥାନରୁ ଗୋରୁର ମୃତଦେହର କିଛି ଅଂଶ ମିଳିଛି । ଏହାକୁ ଖାଇବା ପରେ ୨୫ ଶାଗୁଣାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ତେବେ ଅସୁସ୍ଥ ଥିବା ୮ ଶାଗୁଣାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଯାଇଛି ।" ତେବେ ଆସାମ ଶିବସାଗର ଜିଲ୍ଲାରେ ଏଭଳି ଘଟଣା ପ୍ରଥମ ନୁହେଁ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୪ ବର୍ଷ ପୂର୍ବରୁ ଏହି ଜିଲ୍ଲାରେ ଅତି କମରେ ୨୦୦ ଶାଗୁଣାଙ୍କର ମୃତଦେହ ମିଳିଥିଲା । ସେତେବେଳେ ମଧ୍ୟ ବିଷକ୍ରିୟାରୁ ସେମାନଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା ।