ହାଇଦ୍ରାବାଦ: ଜଣେ ୫୬ ବର୍ଷୀୟ ରୋଗୀଙ୍କ କିଡନୀରୁ ବାହାରିଲା ୨୦୬ଟି ଷ୍ଟୋନ୍ । ହ୍ରାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲର ଡାକ୍ତରୀ ଟିମ ଜଣେ ବ୍ୟକ୍ତିଙ୍କ କିଡନୀରୁ ଏହି ୨୦୬ଟି ଷ୍ଟୋନ ବାହାର କରିବାରେ ସଫଳ ହୋଇଛନ୍ତି । ଦୀର୍ଘ ୬ ମାସରୁ ଅଧିକ ସମୟ ଧରି ରୋଗୀ ଜଣଙ୍କ ଯନ୍ତ୍ରଣା ପାଇବା ପରେ ହାଇଦ୍ରାବାଦର ଆୱାର ଗ୍ଲେନେଗଲ୍ସ ଗ୍ଲୋବାଲ୍ ହସ୍ପିଟାଲରେ ଅପରେସନ କରାଇଥିଲେ । ପରେ ଷ୍ଟୋନ ଗୁଡିକୁ ବାହାର କରିବାରେ ସଫଳ ହୋଇଛନ୍ତି ଏହି ଘରୋଇ ହସ୍ପିଟାଲର ଡାକ୍ତରୀ ଟିମ । ତେବେ ଏତେ ସଂଖ୍ୟକ ଷ୍ଟୋନ ଦେଖି ଡାକ୍ତରୀ ଦଳ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ରୋଗୀ ଜଣଙ୍କ ହେଉଛନ୍ତି ନାଲଗୋଣ୍ଡା ନିବାସୀ ବୀରମାଳା ରାମଲକ୍ଷ୍ମାଆ । ତାଙ୍କ ପେଟରେ ଦିର୍ଘ ୬ ମାସରୁ ଅଧିକ ସମୟ ଧରି ସେ ଯନ୍ତ୍ରଣା ଅନୁଭବ କରିଥିଲେ । ଗ୍ରୀଷ୍ମ ସମୟରେ ତାପମାତ୍ରା ବୃଦ୍ଧି ହେତୁ ଯନ୍ତ୍ରଣା ଅଧିକ ବୃଦ୍ଧି ପାଇଥିଲା | ଏହା ପରେ ଏପ୍ରିଲ ୨୨ରେ ଆୱାର ଗ୍ଲେନେଗଲ୍ସରେ ଗ୍ଲୋବାଲ୍ ହସ୍ପିଟାଲ ଚେକଅପ ପାଇଁ ଆସିଥିଲେ । ହସ୍ପିଟାଲ ସିନିୟର ୟୁରୋଲୋଜିଷ୍ଟ ଡାକ୍ତର ପୁଲୋ ନବୀନ କୁମାର ପ୍ରାଥମିକ ପରୀକ୍ଷା ଓ ଅଲଟ୍ରାସାଉଣ୍ଡ ପରେ ରୋଗୀଙ୍କ ପେଟର ବାମ ପାର୍ଶ୍ବରେ (Kidney Stones on The Left Side) କିଡନୀରେ ଷ୍ଟୋନ ଥିବା ଜାଣିବାକୁ ପାଇଥିଲେ ।