ନୂଆଦିଲ୍ଲୀ:ସଦ୍ୟ ପ୍ରକାଶିତ ୫ ରାଜ୍ୟ ବିଧାନସଭା ନିର୍ବାଚନ ଫଳାପଳରେ ବିଜେପି ବିରାଟ ବିଜୟ ହାସଲ କରିଛି । ୪ ରାଜ୍ୟ ୟୁପି, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡରେ ଦଳର ବମ୍ଫର ବିଜୟ ହୋଇଛି । ବିଜୟ ପାଇଁ ମୋଦିଙ୍କୁ କିଏ ଶୁଭେଚ୍ଛା ଦେଉଛି ତ କିଏ ସମାଲୋଚନା କରୁଛି । ସଫଳତା ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ପାଇଁ ସଙ୍କେତ ବୋଲି ମୋଦି ଦେଇଥିବା ମନ୍ତବ୍ୟକୁ ପୁଣି ଟାର୍ଗେଟ କରିଛନ୍ତି ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ମନ୍ତବ୍ୟକୁ କଟାକ୍ଷ କରି କିଶୋର କହିଛନ୍ତି ଲିଗ ମ୍ୟାଚ ଜିତିଛନ୍ତି ତା ମାନେ ନୁହେଁ ଫାଇନାଲ ବି ଜିତିବ । ରାଜ୍ୟସଭା ନିର୍ବାଚନରେ ଲୋକସଭା ନିର୍ବାଚନର ଫଳାଫଳ ସ୍ଥିର ହୋଇପାରିବ ନାହିଁ ବୋଲି ତାଙ୍କ ଆଭିମୁଖ୍ୟ ଦୋହରାଇଛନ୍ତି ପ୍ରଶାନ୍ତ ।
ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ଏକ ସାକ୍ଷାତକାରରେ କହିଛନ୍ତି, ରାଜ୍ୟଗୁଡିକର ନିର୍ବାଚନ ଫଳାଫଳ ଲୋକସଭା ନିର୍ବାଚନ ଫଳାଫଳ ସ୍ଥିର କରେ ନାହିଁ। ଏହି କଥା ନରେନ୍ଦ୍ର ମୋଦିଙ୍କ ଠୁ ଅଧିକ ଆଉ କେହି ବୁଝି ପାରିବେ ନାହିଁ ଯେ, ବିଧାନସଭା ନିର୍ବାଚନ ସାଧାରଣ ନିର୍ବାଚନର ପରିଣାମ ସ୍ଥିର କରେ ନାହିଁ।
ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଉଦାହରଣ ଦେଇ ପ୍ରଶାନ୍ତ କିଶୋର କହିଛନ୍ତି, ଯଦି ଆମେ ୟୁପି ଉପରେ ନଜର ପକାଇବା ତେବେ ଆପଣ ଜାଣି ପାରିବେ ଯେ, ୨୦୧୨ରେ କଣ ଘଟିଥିଲା ? ସପା ୟୁପିରେ ବଡ ବିଜୟ ହାସଲ କରିଥିଲା ଏବଂ ବିଜେପି ଚତୁର୍ଥ ନମ୍ବରରେ ଥିଲା। ମାତ୍ର ଦୁଇ ବର୍ଷ ପରେ ୨୦୧୪ରେ କଣ ଘଟିଥିଲା ଏହା ସମସ୍ତେ ଜାଣନ୍ତି। ବିଜେପି ପୂର୍ଣ୍ଣ ବହୁମତ ସହ କ୍ଷମତାକୁ ଆସିଥିଲା।