କଂଗ୍ରେସ ଏବଂ ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ (ଏଆଇୟୁଡିଏଫ) ଦ୍ବାରା ମହାମେଣ୍ଟ ଗଠନ ସତ୍ତ୍ବେ ଆସାମରେ ଶାସକ ବିଜେପି କ୍ଷମତା ବଜାୟ ରଖିବାରେ ସଫଳ ହୋଇଛି । ଯଦିଓ ଫଳାଫଳର ଚୂଡ଼ାନ୍ତ ତାଲିକା ସରକାରୀ ଭାବେ ଘୋଷିତ ହୋଇନାହିଁ, ଶାସକ ବିଜେପି ନେତୃତ୍ବାଧିନ ମେଣ୍ଟ ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ କରିବା ସ୍ପଷ୍ଟ ହୋଇଯାଇଛି ।
ରାଜ୍ୟର ମୋଟ 126 ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ମେଣ୍ଟ 75 ଟି ଆସନ ହାସଲ କରିସାରିଥିବା ବେଳେ କଂଗ୍ରେସ ପରିଚାଳିତ ମେଣ୍ଟ କେବଳ ମାତ୍ର 50 ଟି ଆସନ ଓ ଅନ୍ୟ ଦଳକୁ ଯାଇଛି ଗୋଟିଏ ଆସନ । ଆସାମରେ ନୂଆ କରି ବିଜେପିର ସହଯୋଗୀ ହୋଇଥିବା ୟୁନାଇଟେଡ ପିପୁଲସ ପାର୍ଟି ଲିବରାଲ (ୟୁପିପିଏଲ୍) ବୋଡୋଲାଣ୍ଡ ଅଞ୍ଚଳରେ 6 ଟି ଆସନରେ ଜିତି ବିଜେପିକୁ ସହାୟତା କରିପାରିଛି । ଏହି ଦଳ ବୋଡୋଲାଣ୍ଡ ପିପୁଲସ ଫ୍ରଣ୍ଟ (ବିପିଏଫ)ର ଆସନ ସଂଖ୍ୟା କମାଇଛି, ଯାହାକି ବିଜେପି ବିରୋଧୀ ମେଣ୍ଟର ସଫଳତାକୁ ଏ ଅଞ୍ଚଳରେ ଅଙ୍କୁଶ ଲଗାଇଛି ।
ଏଥର ନିର୍ବାଚନରେ କିଛି ଉଲ୍ଲେଖନୀୟ ଘଟଣା ଦେଖିବାକୁ ମିଳିଛି । ଜେଲରେ ଥିବା ଆରଟିଆଇ କର୍ମକର୍ତ୍ତା ଅଖିଳ ଗୋଗୋଇ ଆଦୌ ପ୍ରଚାର ନକରି ଶିବସାଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ଅଲ୍ ଆସାମ ଷ୍ଟୁଡେଣ୍ଟସ ୟୁନିଅନ ନେତା ଲୁରିନଜ୍ୟୋତି ଗୋଗୋଇ ନହରକାଟିଆ ଏବଂ ଦୁଲିଆଜାନ ଦୁଇଟି ଯାକ ଆସନରୁ ହାରିଯାଇଛନ୍ତି । ଶିବସାଗର ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ସୁରଭୀ ରାଜକୋନୱାରୀଙ୍କ ପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର କରିଥିବା ସତ୍ତ୍ବେ ଅଖିଲ ନିର୍ବାଚିତ ହେବାରେ ସଫଳ ହୋଇଛନ୍ତି । କିନ୍ତୁ ଲୁରିନଜ୍ୟୋତି ଦୁଇଟି ଯାକ ଆସନରେ ବିଜେପିର ପ୍ରାର୍ଥୀ ତରଙ୍ଗ ଗୋଗୋଇ ଏବଂ ତେରାସ ଗୋଆଲାଙ୍କଠାରୁ ହାରି ଯାଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅଖିଲ ଗୋଗୋଇ ନବଗଠିତ ରାଇଜୋର ଦଳ ଟିକେଟରେ ନିର୍ବାଚନ ଲଢୁଥିଲେ ଏବଂ ଲୁରିନଜ୍ୟୋତି ଗୋଗୋଇ ନିର୍ବାଚନର କିଛିଦିନ ପୂର୍ବରୁ ଗଠିତ ଏକ ନୂଆ ରାଜନୈତିକ ଦଳ ଆସାମ ଜାତୀୟ ପରିଷଦ (ଏଜିପି) ଟିକେଟରେ ପ୍ରାର୍ଥୀ ହୋଇଥିଲେ । ହେଲେ ଦୁଇଟି ଯାକ ନୂଆ ଦଳ ଆଞ୍ଚଳିକ ଦଳ ଭାବେ ଲୋକଙ୍କର ଯେଉଁ ସମର୍ଥନ ପାଇବା ଆଶା କରାଯାଉଥିଲା ସେଥିରେ ସେମାନ ଅସଫଳ ହୋଇଛନ୍ତି ।
ବିଜେପି ବିକାଶ କାର୍ଯ୍ୟକ୍ରମକୁ ଆଧାର କରି ନିର୍ବାଚନ ଲଢୁଥିଲା ଏବଂ ବିଗତ ପାଞ୍ଚ ବର୍ଷରେ ଦଳ ସରକାରରେ ଥିବା ବେଳେ କାର୍ଯ୍ୟକାରୀ କରିଥିବା ବିକାଶମୂଳକ କାର୍ଯ୍ୟର ଚିତ୍ର ଲୋକଙ୍କ ଆଗରେ ରଖିଥିଲା । ଅପରପକ୍ଷରେ କଂଗ୍ରେସ ନେତୃତ୍ବାଧୀନ ମେଣ୍ଟ ଏବଂ ନବଗଠିତ ଦୁଇ ଆଞ୍ଚଳିକ ଦଳ ନାଗରିକ (ସଂଶୋଧନ) ଆଇନ (ସିଏଏ) ବିରୁଦ୍ଧରେ ଥିବା ଲୋକଙ୍କ ଅସନ୍ତୋଷକୁ ପାଥେୟ କରି ନିର୍ବାଚନ ବୈତରଣୀ ପାର୍ ହେବାକୁ ଯୋଜନା କରିଥିବା ବେଳେ ସେମାନଙ୍କର ଏହି ଉଦ୍ଦେଶ୍ୟ ସଫଳ ହୋଇନାହିଁ । ଧାର୍ମିକ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟକୁ ଲକ୍ଷ୍ୟ ରଖି ଏଆଇୟଡିଏଫ ସହିତ କଂଗ୍ରେସ କରିଥିବା ମେଣ୍ଟ ଯୋଗୁଁ ମଧ୍ୟ ଏଥର କୌଣସି ଫାଇଦା ମିଳିନାହିଁ ।