ହ୍ବିଲଚେୟାରରେ ଜଣେ ମହିଳା ବିଜେପି ବାହାର କରିଥିବା ରଥକୁ ଅଟକାଇ ଦେଲେ ନା ପଶ୍ଚିମ ବଙ୍ଗରେ ଗୈରିକ ଦଳ କ୍ଷମତାକୁ ଆସିଲେ ସେମାନଙ୍କର ଅସ୍ତିତ୍ବ ପ୍ରତି ବିପଦ ଦେଖାଦେବ ବୋଲି ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ଯେଉଁ ଭାବନା ଜାତ ହୋଇଥିଲା ତାହାର ପ୍ରତିଫଳନ ଘଟିଲା? ବିଜେପିର ରଥକୁ ଅଟକାଇଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟ, ଯେଉଁମାନେ କି ଅନ୍ୟ ସମସ୍ତ ପ୍ରମୁଖ ଧର୍ମନିରପେକ୍ଷ ଦଳଗୁଡିକୁ ଛାଡ଼ି ତୃଣମୂଳ କଂଗ୍ରେସ (ଟିଏମସି) ପଛରେ ସଂଗଠିତ ହୋଇ ଭୋଟ ଦେଇଛନ୍ତି ।
କେବଳ ମମତା ବାନାର୍ଜୀ ହିଁ ବିଜେପିକୁ କ୍ଷମତାରୁ ଦୂରେଇ ରଖିପାରିବେ ବୋଲି ଧାରଣା ସଂଖ୍ୟାଲଘୁ ମାନଙ୍କୁ ଏକାଠି କରିଥିଲା । ଏହାସହିତ ଆହୁରି ଅନେକ କାରଣ ମଧ୍ୟ ରହିଛି ଯାହାକି ପଶ୍ଚିମବଙ୍ଗରେ ବିଜେପି ବିରୁଦ୍ଧରେ ଯାଇଛି । ଯେଉଁଥିପାଇଁ କି 2019 ଲୋକସଭା ନିର୍ବାଚନ ବେଳେ ପୁରା ଦକ୍ଷିଣ ଜଙ୍ଗଲ ମହଲ ଅଞ୍ଚଳରେ ବିପୁଳ ସଫଳତା ପାଇଥିବା ବିଜେପି ଏଥର ବିଧାନସଭା ନିର୍ବାଚନରେ ଏହି ଅଞ୍ଚଳରୁ ଧୋଇ ହୋଇ ରହିଯାଇଛି । ପ୍ରକୃତ କଥା ହେଉଛି ଯେ, ଜଙ୍ଗଲ ମହଲରେ ଏଥର ମହିଳା ଭୋଟରମାନେ ବହୁ ସଂଖ୍ୟାରେ ଭୋଟ ଦେବାକୁ ଆସିଥିଲେ ଯାହା ସୂଚେଇ ଥିଲା କି ସେମାନେ ଟିଏମସି ସପକ୍ଷରେ ଭୋଟ ଦେଇଥିଲେ । ବିଜେପିକୁ ସେମାନେ ନିର୍ବାଚନମଣ୍ଡଳୀରୁ ସମ୍ପୂର୍ଣ୍ଣ ଦୂରେଇ ରଖିବାକୁ ଚାହୁଁଥିଲେ । ଏପରିକି ମାଥୁଆମାନଙ୍କୁ ନେଇ ବିଜେପି ବେଶ୍ ଚର୍ଚ୍ଚା କରିଥିଲେ ସୁଦ୍ଧା ଏଥରୁ ଦଳକୁ କିଛି ଲାଭ ମିଳିନଥିଲା ।
ଏହା ପ୍ରକୃତରେ ବିଜେପି ବିରୁଦ୍ଧରେ ଜନାଦେଶ ଯାହାକି ମମତାଙ୍କ ସପକ୍ଷରେ ଯାଇଛି, ଯେଉଁଥିପାଇଁ ତୃଣମୂଳ କଂଗ୍ରେସ 2016 ବିଧାନସଭା ନିର୍ବାଚନ ତୁଳନାରେ ଭଲ ପ୍ରଦର୍ଶନ କରିଛି ଏବଂ ବିଜେପିକୁ ମିଳିଥିବା ଅଧିକ ଭୋଟ ହାର କଂଗ୍ରେସ, ବାମ ଦଳରୁ ମିଳିଛି କାରଣ ପଶ୍ଚିମବଙ୍ଗର ନିର୍ବାଚନୀ ମାନଚିତ୍ରର ଅଧିକାଂଶ ଅଞ୍ଚଳରୁ କଂଗ୍ରେସ ଓ ବାମପନ୍ଥୀ ଦଳ ମୂଳପୋଛ ହୋଇ ଯାଇଛନ୍ତି ।
ଅଧିକ ଆସନ ଆଶା କରୁଥିବା ବିଜେପି ପାଇଁ କୋଲକାତା ପ୍ରସ୍ଥାନ ଦ୍ବାର ଦେଖାଇ ଦେଇଛି । ଏପରିକି ଦଳ ବଦଳାଇଥିବା ନେତାଙ୍କ ପାଇଁ ବିଜେପି ଏଠାରେ ଭଲ ପ୍ରଦର୍ଶନ କରିବା ନେଇ ଯେଉଁ ଆଶା ରଖିଥିଲା ତାହା ବି ହୋଇନାହିଁ । ଅଧିକାଂଶ ବିଧାୟକ ଯେଉଁମାନେ ନିର୍ବାଚନ ପୂର୍ବରୁ ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ସେମାନେ ହାରିଯାଇଛନ୍ତି। ଏମାନଙ୍କ ମଧ୍ୟରେ ପ୍ରମୁଖ ହେଲେ ରାଜୀବ ବାନାର୍ଜୀ, ବୈଶାଳୀ ଡାଲମିୟା । ଦଳବଦଳ କରିଥିବା ବିଧାୟକଙ୍କ ମଧ୍ୟରେ ଶୁଭେନ୍ଦୁ ଅଧିକାରୀ ପଶ୍ଚିମ ବଙ୍ଗରେ ବିଜେପି ପାଇଁ ଏକ ବଡ଼ ସଫଳତା ଆଣିଛନ୍ତି । ସେ ଅନ୍ତତଃ ପୂର୍ବ ମେଦିନପୁରର ବହୁଚର୍ଚ୍ଚିତ ନନ୍ଦିଗ୍ରାମ ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିବାରେ ସକ୍ଷମ ହୋଇଛନ୍ତି ।
ବିଜେପି ପାଇଁ କେରଳ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି, ଏଠାରେ ଦଳର ଚିହ୍ନବର୍ଣ୍ଣ ରହିନାହିଁ ଏବଂ ଆସନ୍ତା ପାଞ୍ଚ ବର୍ଷ ପାଇଁ ରାଜ୍ୟ ବିଧାନସଭାରେ ଦଳ ପ୍ରତିନିଧିଶୂନ୍ୟ ରହିବ । ଉତ୍ତର ଓ କେନ୍ଦ୍ରୀୟ କେରଳରେ ସଂଖ୍ୟାଲଘୁମାନେ ସେମାନଙ୍କ ଆନୁଗତ୍ୟ ବଦଳାଇବା ସହ ଏଲଡିଏଫ ସପକ୍ଷରେ ଏକଜୁଟ ହୋଇ ଭୋଟ ଦେଇଛନ୍ତି । ଯଦି ଗୈରିକ ଦଳ କ୍ଷମତାକୁ ଆସେ ତେବେ ସେମାନଙ୍କର ଅସ୍ତିତ୍ବ ପ୍ରତି ବିପଦ ଥିବା ମଧ୍ୟ ସେମାନଙ୍କ ମନରେ ଧାରଣା ଦୃଢ ହୋଇଥିଲା । ମୁସଲିମ ଲିଗର ଦୁର୍ଗ କୁହାଯାଉଥିବା ଉତ୍ତର କେରଳର ସଂଖ୍ୟାଧିକ ଭୋଟ ବାମ ଦଳ ସପକ୍ଷରେ ଯାଇଛି । ସେହିପରି କେନ୍ଦ୍ର କେରଳରେ ଏକ ବଡସଂଖ୍ୟାରେ ଖ୍ରୀଷ୍ଟିଆନ ଲୋକେ ବସବାସ କରନ୍ତି, ଏମାନଙ୍କ ଭୋଟ ମଧ୍ୟ ଏଲଡିଏଫ ସପକ୍ଷରେ ଯାଇଛି । ଅଧିକାଂଶ ହିନ୍ଦୁ ବହୁଳ ନିର୍ବାଚନମଣ୍ଡଳୀ ଥିବା ଦକ୍ଷିଣ କେରଳରେ ମଧ୍ୟ ଗୈରିକ ଦଳ ଭଲ ପ୍ରଦର୍ଶନ କରିପାରିନାହିଁ ।
ଏପଟେ ତାମିଲନାଡୁରେ ଡିଏମକେ ଯେଉଁଭଳି ଭାବେ ନିର୍ବାଚନ ରଣନୀତି ପ୍ରସ୍ତୁତ କରି ଦଳର ନୀତିକୁ ନେଇ ଲୋକଙ୍କ ପାଖରେ ପହଞ୍ଚିଥିଲା ଓ ବୁଝାଇଥିଲା ତାହାର ଫଳ ଦଳକୁ ମିଳିଛି । ବଂଶବାଦ ରାଜନୀତି ଉଲ୍ଲେଖ କରି ଦଳ ବିରୁଦ୍ଧରେ ଯେଉଁସବୁ ଅଭିଯୋଗ ଉଠୁଥିଲା ତାହାର କୌଣସି ପ୍ରଭାବ ନିର୍ବାଚନ ଫଳାଫଳ ଉପରେ ପଡିନାହିଁ । କେବଳ ଯେ କରୁଣାନିଧିଙ୍କ ଦ୍ବିତୀୟ ପିଢି ଏମ.କେ.ଷ୍ଟାଲିନ ବିଜୟୀ ହୋଇଛନ୍ତି ତା ନୁହେଁ ତୃତୀୟ ପିଢି ଅର୍ଥାତ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ୍ ଚେପକ ନିର୍ବାଚନମଣ୍ଡଳୀରୁ ଭଲ ଭୋଟ ବ୍ୟବଧାନରେ ଜିତିଛନ୍ତି । ଜୟାଲଳିତାଙ୍କ ଯୋଗୁଁ ଆନ୍ନାଡିଏମକେ ମହିଳାଙ୍କ ଭୋଟ ଅଧିକ ପାଇ ଆସୁଥିଲା, କିନ୍ତୁ ଏବେ ଏହା ଡିଏମକେ ସପକ୍ଷରେ ଯାଇଛି ।