ନୂଆଦିଲ୍ଲୀ:ଯାନ୍ତ୍ରିକ ତ୍ରୁଟି କାରଣରୁ ଦିଲ୍ଲୀରୁ ସାନ ଫ୍ରାନ୍ସିକୋ ଯାଉଥିବା ବିମାନ ଗତକାଲି ଋଷର ମଗଦାନକୁ ଡାଇଭର୍ଟ କରାଯାଇଥିଲା । ହେଲେ ବିମାନ ଅବତରଣ କରିବା ପରେ ଯାତ୍ରୀମାନଙ୍କ ସୁରକ୍ଷା ପ୍ରତି ବିମାନ କମ୍ପାନୀ ଧ୍ୟାନ ଦେଇନି । ବିମାନ ଗତକାଲିଠାରୁ ଋଷର ମାଗାଦନ ବିମାନ ବନ୍ଦରରେ ଅବତରଣ କରିସାରିଥିଲେ ସୁଦ୍ଧା ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳ ଅଭିମୁଖେ ପଠାଇବା ନେଇ କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିନାହାନ୍ତି । ସେମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି । ଏପରିକି ସେମାନେ ଅବ୍ୟବସ୍ଥା ମଧ୍ୟରେ ରାତି କାଟିଛନ୍ତି । କିଛି ଯାତ୍ରୀ ଏକ କଠୋରୀରେ ଚଟାଣରେ କମ୍ବଳ ଘୋଡାଇ ଅବ୍ୟବସ୍ଥା ମଧ୍ୟରେ ଶୋଇଥିବାର ଫଟୋ ମଧ୍ୟ ଗଣମାଧ୍ୟମରେ ପ୍ରସାରିତ ହୋଇଛି ।
ଯାତ୍ରୀଙ୍କ ଅଭିଯୋଗ ଅନୁସାରେ, ବିମାନଟି ସୁରକ୍ଷିତ ଅବତରଣ କରିଥିଲେ ସୁଦ୍ଧା ସେମାନଙ୍କ ଲଗେଜ ଏବେ ମଧ୍ଯ ବିମାନରେ ରହିଛି । ସେମାନଙ୍କୁ ପ୍ରଥମେ ଏୟାରପୋର୍ଟରେ ଅପେକ୍ଷା କରିବାକୁ କୁହାଗଲା । ପରେ ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କୁ ହୋଟେଲ ଓ ଅନ୍ୟ କିଛି ଯାତ୍ରୀଙ୍କୁ ଏକ ସ୍ଥାନୀୟ ସ୍କୁଲକୁ ପଠାଯାଇଥିଲା । ସେଠାରେ ରାତ୍ରିଯାପନ କରିବା ପାଇଁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇନଥିଲା । ସେମାନେ ଭିନ୍ନ ଭାଷା ଓ ଭିନ୍ନ ଖାଦ୍ୟ ଦ୍ବାରା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଗୋଟିଏ କୋଠରୀର ଚଟାଣରେ ପ୍ରାୟ 20 ଜଣ ଯାତ୍ରୀ କୌଣସି ବ୍ୟବସ୍ଥା ବିନା ରାତ୍ରିଯାପନ କରିବାକୁ ବାଧ୍ୟ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ଏନେଇ ବିମାନ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।