ଚଣ୍ଡିଗଡ଼: ବିଦେଶ ଯିବା ପ୍ରାୟ ପ୍ରତ୍ୟେକ ନାଗରିକଙ୍କ ସ୍ବପ୍ନ ରହିଥାଏ । ଭାରତୀୟମାନେ ଆମେରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦୁବାଇ ଭଳି ଦେଶକୁ ଯିବା ଲାଗି ଆଖିରେ ସ୍ବପ୍ନ ଭରିଥାନ୍ତି । ଲୋକେ ନିଜ ସହିତ ପାଳିତ କୁକୁରଙ୍କୁ ମଧ୍ୟ ବିଦେଶ ନିଅନ୍ତି । ହେଲେ ପଞ୍ଜାବ ଅମୃତସରରେ କାନାଡା ଯିବେ ବୁଲା କୁକୁର । ଆଜ୍ଞା ହଁ, ବିଦେଶ ଯିବେ ବୁଲା କୁକୁର । ଏହି ବୁଲା କୁକୁରଙ୍କ ଲାଗି ପାସପୋର୍ଟ ଆବେଦନ ମଧ୍ୟ କରାଯାଇଛି । ଆକାଶରେ ଉଡ଼ି କାନାଡା ଯିବେ ଭାରତୀୟ ବୁଲା କୁକୁର । ପଶୁ କଲ୍ୟାଣ ଏବଂ କେୟାର ସୋସାଇଟିର ଡକ୍ଟର ନବନୀତ କୌର ଲିଲି ଏବଂ ଡେଜି ନାମକ ଦୁଇଟି ବୁଲା କୁକୁରଙ୍କୁ ନେଇ କାନାଡା ଗସ୍ତ କରିବେ ।
ଏ ବିଷୟରେ ଆମକୁ ଅଧିକ ସୂଚନା ଦେଇଛନ୍ତି ପଶୁ କଲ୍ୟାଣ ଏବଂ କେୟାର ସୋସାଇଟିର ଡକ୍ଟର ନବନୀତ କୌର । ତାଙ୍କ କହିବା ଅନୁସାରେ ଅମୃତସରର 2ଟି ବୁଲା କୁକୁର ଲିଲି ଏବଂ ଡେଜିଙ୍କୁ ସାଙ୍ଗରେ ନେଇ ସେ କାନାଡାକୁ ଯାଉଛନ୍ତି । ସେ କହିଛନ୍ତି ଯେ କାନାଡାର ଜଣେ ମହିଳା ବ୍ରେଣ୍ଡା ଲିଲି ଏବଂ ଡେଜିଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ଏବଂ ସେଥିପାଇଁ ସେ ଏହି କୁକୁରମାନଙ୍କୁ ସାଙ୍ଗରେ ନେବା ପାଇଁ ସମସ୍ତ କାଗଜପତ୍ର ପ୍ରସ୍ତୁତ କରି ରଖୁଛନ୍ତି । ଏହାପୂର୍ବରୁ ସେ 6ଟି କୁକୁରକୁ ବିଦେଶକୁ ନେଇଛନ୍ତି । ସେମାନଙ୍କ ମଧ୍ୟରୁ 2ଟି ଆମେରିକାରେ ରହୁଛନ୍ତି । ଡକ୍ଟର ନବନୀତ ନିଜେ ଆମେରିକାରେ ରହୁଥିବା ବେଳେ ଅମୃତସରରେ ମଧ୍ୟ ତାଙ୍କର ଏକ ଘର ଥିବା ସେ କହିଛନ୍ତି ।