ଭୋପାଲ/ପାଟନା:ମଧ୍ୟ ପ୍ରଦେଶରେ ସେହୋର ଜିଲ୍ଲା ମୁଙ୍ଗାବଲି ଗାଁରେ ଜଣେ 3 ବର୍ଷୀୟା ଶିଶୁକନ୍ୟା ବୋରଓ୍ବେଲ ମଧ୍ୟରେ ଖସି ପଡିବା ଓ ବିହାର ରୋହତାସ ଜିଲ୍ଲାରେ ଏକ ପୋଲ ଖମ୍ବରେ ଜଣେ ମାନସିକ ଭିନ୍ନକ୍ଷମ 12 ବର୍ଷୀୟ ନାବାଳକ ଦୀର୍ଘ ଘଣ୍ଟା ଫସି ରହିବା ଘଟଣା ଗତକାଲି ଠାରୁ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିଲା । ଉଭୟ ଘଟଣାରେ ରେସ୍କ୍ୟୁ ଅପରେସନ ଜାରି ରହିଥିଲା । ହେଲେ ଆଜି ଦୁଇଟି ଅପରେସନ ଶେଷ ହୋଇଥିବା ବେଳେ ଉଭୟଙ୍କୁ ଉଦ୍ଧାର କରାଯାଇଛି । ହେଲେ କାହାକୁ ମଧ୍ୟ ବଞ୍ଚାଯାଇ ପାରିନାହିଁ । ଉଦ୍ଧାର ହୋଇ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଉଭୟ ମାମଲାରେ ନାବାଳକ ଓ ଶିଶୁକନ୍ୟାକୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।
ବିହାର ପୋଲ ରେସ୍କ୍ୟୁ:ବିହାର ରୋହତାସ ଜିଲ୍ଲାରେ ଏକ ପୋଲର ଖମ୍ବ ଓ ଚଟଣା ମଧ୍ୟରେ ଜଣେ 12 ବର୍ଷୀୟ ମାନସିକ ଭିନ୍ନକ୍ଷମ ନାବାଳକ ଫସି ରହିଥିଲା । ଗତକାଲି ଠାରୁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ଓ ସ୍ଥାନୀୟ ଫାଏର ଟିମ ରେସ୍କ୍ୟୁ ଅପରେସନ ଜାରି ରଖିଥିଲେ । ଆଜି ଅପରାହ୍ନରେ ପ୍ରାୟ 25 ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ନାବାଳକଟିକୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଉଦ୍ଧାର କରାଯିବା ପରେ ତୁରନ୍ତ ନାବାଳକୁ ସ୍ଥାନୀୟ ସାସାରାମର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।