ନୂଆଦିଲ୍ଲୀ:ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦୁଇ ବିମାନ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ଅଳ୍ପକେ ବର୍ତ୍ତିଛି । ଏୟାର ଟ୍ରାଫିକ କଣ୍ଟ୍ରୋଲ (ATC)ର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ପାଇଁ ଦୁଇ ବିମାନ ମଧ୍ୟରେ ଧକ୍କା ଅଳ୍ପକେ ଟଳିଯାଇଛି । ଗୋଟିଏ ରନ୍-ଓ୍ବେରେ ଏକକାଳୀନ ଦୁଇଟି ବିମାନର ଟେକ୍ଅଫ ଓ ଲ୍ୟାଣ୍ଡିଂକୁ ଅନୁମତି ଦିଆଯିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି । ହେଲେ ଏଟିସିର ତୁରନ୍ତ ନିଷ୍ପତ୍ତିରେ ପରିବର୍ତ୍ତନ ଓ ବିମାନର ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଏହି ଆସନ୍ନ ଦୁର୍ଘଟଣାରୁ 300 ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି ।
ସୂଚନା ଅନୁସାରେ, ଭିସ୍ତାରା ଏୟାରଲାଇନ୍ସର ଦିଲ୍ଲୀରୁ ବାଗଡୋଗ୍ରା ଅଭିମୁଖେ ଉଡ଼ାଣ ଭରିବାକୁ ଥିବା UK-725 ବିମାନକୁ ରନ-ଓ୍ବେକୁ ଯିବା ପାଇଁ ଏଟିସି କ୍ଲିୟରାନ୍ସ ମିଳିଥିଲା । ଏହି ସମୟରେ ଅହମ୍ମଦାବାଦରୁ ଦିଲ୍ଲୀ ଆସୁଥିବା ଭିସ୍ତାରା ବିମାନ ମଧ୍ୟ କ୍ଲିୟରାନ୍ସ ପାଇ ଉକ୍ତ ରନଓ୍ବେର ଅବତରଣ କରୁଥିଲା । ଅବତରଣ କରିଥିବା ବିମାନଟି ମୁଖ୍ୟ ରନଓ୍ବେର ହିଁ ଥିଲା । ଏହା ଜଣାପଡିବା ପରେ ଉଡାଣ ଭରିବାକୁ ଥିବା UK-725 ବିମାନକୁ ତୁରନ୍ତ ଉଡାଣ ବାତିଲ କରି ପାର୍କିଂକୁ ଫେରିବା ପାଇଁ ନିର୍ଦ୍ଦେଶ ମିଳିଥିଲା । ତୁରନ୍ତ ବିମାନର ପାଇଲଟ୍ ଉଡାଣ ରଦ୍ଦ କରିବା ସହ ରନ-ଓ୍ବେ କ୍ଲିୟର କରି ପାର୍କିଂକୁ ଫେରିଥିଲେ । ସେହି ରନ୍-ଓ୍ବେରେ ଅହମ୍ମଦାବାଦ-ଦିଲ୍ଲୀ ବିମାନ ସଫଳତାର ସହ ଅବତରଣ କରିଥିଲା ।
ଏହା ମଧ୍ୟ ପଢନ୍ତୁ :-Bomb Threat: ଭିସ୍ତାରା ବିମାନରେ ବୋମା, ଉଡାଣ ପୂର୍ବରୁ ମିଳିଲା ଧମକ