ଜୟପୁର:ରାଜସ୍ଥାନର କୋଟାରେ ଚିନ୍ତା ବଢାଇଲାଣି ଆତ୍ମହତ୍ୟା ଜନିତ ମୃତ୍ୟୁ । ପୁଣି ସାମ୍ନାକୁ ଆସିଲା ଆତ୍ମହତ୍ୟା ଜନିତ ଖବର । NEET କୋଟିଂ ନେଉଥିବା ଦୁଇ ଜଣ ଛାତ୍ର ଜୀବନ ହାରିଥିବା ସୂଚନା ମିଳିଛି । ଦୁଇ ମୃତକ ହେଉଛି 17 ବର୍ଷୀୟ ଆବିଷ୍କାର ଶମ୍ବାଜୀ କାସଲେ ଓ 18 ବର୍ଷୀୟ ଆଦର୍ଶ ରାଜ । ଆବିଷ୍କାର ଚୋଟିଂ ସେଣ୍ଟର ଷଷ୍ଠ ମହଲାର ଜୀବନ ହାରିଥିବା ବେଳେ ଆଦର୍ଶ ରହୁଥିବା ତାଙ୍କ ଭଡା ଘରେ ଜୀବନ ହାରିଛନ୍ତି । ଏହାକୁ ମିଶାଇ ଚଳିତ ବର୍ଷ କୋଟାରେ କୋଚିଂ ନେଉଥବା 22 ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ବାରମ୍ବାର ଆତ୍ମହତ୍ୟା ଜନିତ ମୃତ୍ୟୁ ଖବର ସାମ୍ନାକୁ ଆସୁଥିବାରୁ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ କୋଟାରେ ଥିବା କୋଚିଂ ସେଣ୍ଟରେ ପରୀକ୍ଷା ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି । ତେବେ କେଉଁ କାରଣରୁ 2 ଛାତ୍ର ଜୀବନ ହାରିଛନ୍ତି ସେନେଇ ସୂଚନା ହସ୍ତଗତ ହୋଇ ନାହିଁ ।
ପରୀକ୍ଷା ଦେବାର କିଛି ସମୟ ପରେ ଜଓ୍ବାର ନଗର ସ୍ଥିତ କୋଚିଂ ଇନଷ୍ଟିଚ୍ୟୁଟ୍ ବିଲ୍ଡିଂର ଷଷ୍ଠ ମହଲାରୁ ଯାଇଥିଲେ ଆବିଷ୍କାର ଶମ୍ବାଜୀ କାସଲେ । ଏହା ପରେ ସେଠାରୁ ଡେଇଁପଡିଥିଲେ ବୋଲି ପୋଲିସ କହିଛି । ଏହି ଘଟଣା ରବିବାର ମଧ୍ୟାହ୍ନ 3ଟା 15 ମିନିଟ ସମୟରେ ଘଟିଥିଲା । ଷଷ୍ଠ ମହଲାର ବାଲକୋନିରୁ ତଳକୁ ଡେଇଁବା ପରେ ସ୍ଥାନୀୟ ଲୋକେ ଛାତ୍ର ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଉଥିଲେ କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଛାତ୍ର ଜଣଙ୍କର ମୃତ୍ୟୁ ହୋଇଥିଲା । ଆବିଷ୍କାର ଶମ୍ବାଜୀ କାସଲେଙ୍କ ମୃତ୍ୟୁର 4 ଘଣ୍ଟା ପରେ 18 ବର୍ଷୀୟ ଆଦର୍ଶ ରାଜ ରାତି ପ୍ରାୟ 7 ଟା ସମୟରେ କୁହ୍ନାଡି ପୋଲିସ ଷ୍ଟେସନ ପରିସରରେ ନିଜ ଭଡା ଘରେ ଜୀବନ ହାରିଥିଲେ।