ନୂଆଦିଲ୍ଲୀ:ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲ ଭୁଶୁଡିବା କାରଣରୁ ଫସି ରହିଥିବା 41 ଶ୍ରମିକଙ୍କୁ ଉଦ୍ଧାର ପାଇଁ ଜାରି ରହିଥିବା ଅପରେସନ ଆଜିକୁ ଦୀର୍ଘ 11ତମ ଦିନରେ ପହଞ୍ଚିଛି । ତେବେ ଏହାରି ମଧ୍ୟରେ ଏକ ବଡ ଅପଡେଟ ମଧ୍ୟ ସାମ୍ନାକୁ ଆସିଛି । ଶ୍ରମିକମାନେ ଫସିଥିବା ସ୍ଥାନରୁ ଆଉ ପ୍ରାୟ 20 ମିଟରରୁ କମ ଦୂରତାରେ ରହିଛି ଉଦ୍ଧାରକାରୀ ଟିମ୍ । ଶ୍ରମିକ ଫସିଥିବାଙ୍କ ସ୍ଥାନ ଓ ରେସ୍କ୍ୟୁ ଅପରେସନ ଟିମ୍ ମଧ୍ୟରେ ଦୂରତା ମାତ୍ର 18 ମିଟର ବୋଲି କୁହାଯାଉଛି । ଅଗର ମେସିନ ସାହାଯ୍ୟରେ ଖୋଦେଇ କାମ ମଧ୍ୟ ସ୍ବାଭାବିକ ଭାବେ ଜାରି ରହିଛି । ଏହି ପ୍ରକ୍ରିୟା ବିନା କୌଣସି ସମସ୍ୟାରେ ଜାରି ରହିଲେ, ଆସନ୍ତାକାଲି ସୁଦ୍ଧା ହୁଏତ ଉଦ୍ଧାର ଅପରେସନରେ ସମ୍ପୂର୍ଣ୍ଣ ସଫଳତା ମିଳିବା ନେଇ ସମ୍ଭାବନା ଉଜ୍ଜଳ ହୋଇଛି ।
ଉଦ୍ଧାରକାର୍ଯ୍ୟରେ ସାମିଲ ଥିବା ଉତ୍ତରାଖଣ୍ଡ ସଡକ ପରବହନ ବିଭାଗର ବରିଷ୍ଠ ଅଧିକାରୀ ମହମ୍ମୁଦ ଅହମ୍ମଦଙ୍କ ସୂଚନା ଅନୁସାରେ, ଟନେଲ ମଧ୍ୟରେ ଶ୍ରମିକମାନେ ଏଣ୍ଟ୍ରିଂ ପଏଣ୍ଟରୁ 57 ମିଟର ଦୂରରେ ଫସିଥିଲେ । ଏବେ ସୁଦ୍ଧା ଖୋଦେଇ କାମ ପ୍ରାୟ 39 ମିଟରରେ ପହଞ୍ଚି ସାରିଛି । ତେଣୁ ଆଉ ପ୍ରାୟ 18 ମିଟର ଖୋଳାଯିବା ପରେ ଶ୍ରମିକଙ୍କୁ ଉଦ୍ଧାର କରାଯିବା ସମ୍ଭବ ହୋଇପାରିବା ନେଇ ଆଶା କରାଯାଉଛି । ତେବେ ସମ୍ଭାବିତ ଉଦ୍ଧାର ପ୍ରକ୍ରିୟା ସମ୍ପର୍କରେ ଅହମ୍ମଦ କହିଛନ୍ତି, ଟନେଲ ମଧ୍ୟକୁ ଯେତିକି ଖୋଳାଯାଉଛି, ସେତିକି ପାଇପ ଭର୍ତ୍ତି କରାଯାଉଛି । ଏହି ପାଇପକୁ ଓ୍ବେଲ୍ଡିଂ ମଧ୍ୟ କରାଯାଉଛି । ତେଣୁ ଏହି ପ୍ରକ୍ରିୟା ସମୟ ସାପେକ୍ଷ ହେଉଛି । ଏହି ପାଇପ ଶ୍ରମିକଙ୍କ ନିକଟରେ ପହଞ୍ଚିବା ପରେ ଏହା ମାଧ୍ୟମରେ ସେମାନଙ୍କୁ ଉଦ୍ଧାର କରାଯିବ । ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ଯଦି ଏହି ପ୍ରକ୍ରିୟାରେ କୌଣସି ସମସ୍ୟା ସୃଷ୍ଟି ନହୁଏ ହୁଏତ ଆଜି ରାତି କିମ୍ବା ଆସନ୍ତାକାଲି ସୁଦ୍ଧା ଭଲ ଖବର ମିଳିପାରେ ।