କୋଲକାତା:ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ବଡ ହିଂସାର ଯୋଜନା । ମାଲଦାରୁ ମିଳିଛି ବିପୁଳ ସଂଖ୍ୟାରେ ବୋମା । ମାଲଦାର କାଲିଆ ଛକରୁ 18ଟି ବୋମା ଜବତ କରିଛି ପଶ୍ଚିମବଙ୍ଗ ପୋଲିସ । ବୋମା ମିଳିବା ନେଇ ସୂଚନା ଦେଇଛନ୍ତି ଏସପି ଆଲୋକ ରାଜୋରିଆ ।
ମାଲଦାରୁ ବୋମା ମିଳିବା ଖବର ପାଇ ପୋଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ସମସ୍ତ ବୋମାକୁ ନିଷ୍କ୍ରିୟ କରାଯାଇସାରିଛି । କିଏ ଓ କେଉଁ ଉଦ୍ଦେଶ୍ୟରେ ଏତେ ପରିମାଣରେ ବୋମା ରଖିଥିଲା ତାହା ଏଯାଏଁ ଜଣାପଡିନାହିଁ ।
ପଶ୍ଚିମବଙ୍ଗରେ 8ଟି ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ । 27 ମାର୍ଚ୍ଚ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇ 29 ଏପ୍ରିଲରେ ଶେଷ ହେବ । ନିର୍ବାଚନ ପୂର୍ବରୁ ରାଜ୍ୟପେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି ।
ସେପଟେ ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଏକ ସାଧାରଣ ବିଷୟ ହୋଇଥିବାରୁ ସୁରକ୍ଷା ଦୃଷ୍ଟିରୁ 8ଟି ପର୍ଯ୍ୟାୟରେ ମତଦାନ କରାଇବା ନେଇ ଘୋଷଣା କରିଥିଲେ ନିର୍ବାଚନ ଆୟୋଗ । ତେବେ ସବୁ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଥିବା ବେଳେ ମତଦାନ ସମୟରେ ଅର୍ଦ୍ଧସାମରିକ ଦଳ ମୁତୟନ ହେବେ । ତେବେ ନିର୍ବାଚନ ପୂର୍ବରୁ ରାଜ୍ୟରେ ବିପୁଳ ପରିମାଣରେ ବୋମା ମିଳିବା ସୁରକ୍ଷା ଆଗରେ ଆହୁରି ଚ୍ଯାଲେଞ୍ଜ ସୃଷ୍ଟି କରିଛି ।