ଇମ୍ଫାଲ:ଆଜକୁ ୪ ମାସ ବିତିଗଲାଣି, ଆୟତ୍ତ ହେଉନି ମଣିପୁର ନିଆଁ । ସଂରକ୍ଷଣକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ସଂଘର୍ଷରେ ବିରାମ ଲାଗୁନି । କେବେ ଏହି ହିଂସାରେ ବ୍ରେକ ଲାଗିବ, ତାହାର ଉତ୍ତର ବି କାହା ପାଖରେ ନାହିଁ । ଗତ ମେ' ମାସରୁ ଜାରି ରହିଥିବା ଏହି ସଂଘର୍ଷରେ ଅଦ୍ୟାବିଧି ୧୭୫ ଜଣଙ୍କ ଜୀବନ ଗଲାଣି । ପ୍ରାୟ ୧,୧୦୮ ଜଣ ଆହତ ହୋଇଥିବା ବେଳେ ୩୨ ଜଣଙ୍କ ପତ୍ତା ମିଳୁନି । ଦଙ୍ଗାକାରୀମାନେ ରାଜ୍ୟରେ ୪,୭୮୬ଟି ଘର ଜାଳି ଦେଇଛନ୍ତି । ପ୍ରାୟ ୩୮୬ଟି ଧାର୍ମିକ ସ୍ଥଳୀରେ ବ୍ୟାପକ ଭଙ୍ଗାରୁଜା ହୋଇଛି । ଏନେଇ ଆଇଜିପି(ଅପରେସନ) ଆଇ.କେ ମୁଇଭା ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।
ଆଇଜିପି କହିଛନ୍ତି ଯେ, ମଣିପୁରରେ ଏଭଳି ଆହ୍ବାନପୂର୍ଣ୍ଣ ସମୟରେ ପୋଲିସ, କେନ୍ଦ୍ରୀୟ ସୁରକ୍ଷା ବଳ ଓ ପ୍ରଶାସନ ସ୍ବାଭିବିକ ସ୍ଥିତି ଫେରାଇ ଆଣିବାକୁ ଅହରହ ପ୍ରଚେଷ୍ଟା କରୁଛନ୍ତି । ଲୁଟ୍ ହୋଇଥିବା ୧,୩୫୯ଟି ଅସ୍ତ୍ରଶସ୍ତ୍ର ଓ ୧୫,୦୫୦ଟି ଗୋଳାବାରୁଦ ଉଦ୍ଧାର କରାଯାଇଛି । ହିଂସା ସମୟରେ ଦଙ୍ଗାକାରୀମାନେ ଅସ୍ତ୍ରାଗାରରୁ ବିପୁଳ ସଂଖ୍ୟାକ ଅସ୍ତ୍ରଶସ୍ତ୍ର ଲୁଟି ନେଇଥିଲେ । ରାଜ୍ୟରେ ମୋଟ ୫,୧୭୨ଟି ପୋଡାଜଳା ମାମଲା ରୁଜୁ ହୋଇଛି । ୨୫୪ଟି ଚର୍ଚ୍ଚ ଓ ୧୩୪ଟି ମନ୍ଦିରରେ ପଶି ଉପଦ୍ରବୀମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ବର୍ତ୍ତମାନ ବିଷ୍ଣପୁର ଜିଲ୍ଲାର ଫୌଗାକଚାଓ ଇକାଇରୁ ଚୁରାଚାନ୍ଦପୁର ଜିଲ୍ଲାର କାଙ୍ଗବଇ ଯାଏଁ ସୁରକ୍ଷା ବ୍ୟାରିକେଡ ହଟାଇ ଦିଆଯାଇଥିବା ବେଳେ ଜାତୀୟ ରାଜପଥରେ ସୁରକ୍ଷା କଡାକଡା କରାଯାଇଛି ।