ଚଣ୍ଡିଗଡ: ଆପଣ ଅନେକ ଲୋକଙ୍କ ହାତ କିମ୍ବା ପାଦରେ ୫ରୁ ଅଧିକ ଆଙ୍ଗୁଠି ଦେଖିଥିବେ । ଯଦିଓ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, କିନ୍ତୁ ହରିୟାଣା ପାନିପଥର ଏମିତି ଏକ ପରିବାର ଅଛି, ଯାହାଙ୍କ ଏହି ଆଙ୍ଗୁଠି କାହାଣୀ ଜାଣି ଆପଣ ଆଶ୍ଚର୍ଯ୍ୟ ନହୋଇ ରହି ପାରିବେନି । ପାନିପଥ ଜିଲ୍ଲା ବାବରପୁର ମଣ୍ଡିର କଶ୍ୟପ ପରିବାର, ଏହି ପରିବାରର ୧୫୦ରୁ ଅଧିକ ସଦସ୍ୟଙ୍କ ହାତ ଓ ପାଦରେ ୨୨ରୁ ୨୪ଟି ଲେଖାଏଁ ଆଙ୍ଗୁଠି ରହିଛି । ପରିବାରରେ ଯିଏ ଜନ୍ମ ହେଉଛି, ତା'ର ଗୋଟିଏ ଲେଖାଏଁ ଅଧିକ ଆଙ୍ଗୁଠି ରହୁଛି । କାହାର ପାଦରେ ୬ଟା ତ ଆଉ କାହାର ହାତରେ ୭ଟା ଆଙ୍ଗୁଠି । ଘରର ବୃଦ୍ଧଙ୍କଠାରୁ ଆରମ୍ଭ କରି ନାତି ନାତୁଣୀଙ୍କ ଯାଏଁ ସମସ୍ତଙ୍କର ହାତରେ ପାଦରେ ୫ରୁ ଅଧିକ ଆଙ୍ଗୁଠି ରହିଛି । ଯେଉଁଥିପାଇଁ ଏହି ପରିବାର ଏବେ ଚର୍ଚ୍ଚାକୁ ଆସିଛି ।
କଶ୍ୟପ ପରିବାରର ଜନି ନାମକ ଜଣେ ସଦସ୍ୟ କହିଛନ୍ତି, ତାଙ୍କର ବାପା ହାତରେ ୬ଟି ଆଙ୍ଗୁଠି ସହ ଜନ୍ମ ହୋଇଥିଲେ । ପରେ ସେ ତାଙ୍କର ଏକ୍ସଟ୍ରା ଆଙ୍ଗୁଠିଟି ଅପରେସନ କରି ହଟାଇ ଦେଇଥିଲେ । ହେଲେ ଯେତେବେଳେ ସେ ଜନ୍ମ ହେଲେ, ତାଙ୍କର ମଧ୍ୟ ହାତରେ ଓ ପାଦରେ ୬ଟି ଲେଖାଏଁ ଆଙ୍ଗୁଠି ରହିଥିଲା । ସେ ବିବାହ କରିବା ପରେ ତାଙ୍କ ବଡ ପୁଅ ବି ହାତରେ ଗୋଟିଏ ଅତିରିକ୍ତ ଆଙ୍ଗୁଠି ସହ ଜନ୍ମ ହୋଇଥିଲା । ଏମିତି ଜନିଙ୍କ ପରିବାରର ୧୫୦ ସଦସ୍ୟଙ୍କ ହାତ ଗୋଡରେ ୫ରୁ ଅଧିକ ଆଙ୍ଗୁଠି ରହିଛି । ଏଥିପାଇଁ ଯଦିଓ କେବେ କିଛି ବିଶେଷ ସମସ୍ୟା ହୁଏନି, ତଥାପି ଚପଲ ପିନ୍ଧିବାରେ ସେମାନଙ୍କୁ ଅସୁବିଧା ହେଉଥିବା କୁହନ୍ତି ଜନି ।
ପରିବାର ମୁଖିଆ ସୁଖବୀର କହିଛନ୍ତି, ପ୍ରଥମେ ତାଙ୍କ ଆଈର ଆଙ୍ଗୁଠି ଏହିଭଳି ଥିଲା । ପରେ ତାଙ୍କ ୫ ଭାଇ ମଧ୍ୟ ଗୋଟିଏ ଲେଖାଏଁ ଅତିରିକ୍ତ ଆଙ୍ଗୁଠି ସହ ଜନ୍ମ ହୋଇଥିଲେ । ଏହାପରେ ପରିବାରରେ ଯିଏ ବି ଜନ୍ମ ହେଲେ, ସେମାନଙ୍କର ହାତ ନଚେତ ଗୋଡରେ ୬ଟା ଆଙ୍ଗୁଠି ରହିଲା । କାହାର ହାତରେ ୬ଟା ଆଙ୍ଗୁଠି ନହେଲେ କାହାର ପାଦରେ ୫ରୁ ଅଧିକ ଆଙ୍ଗୁଠି ଦେଖାଗଲା । ତେବେ ଏଠି ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ କ'ଣ ଏହି ପରିବାରର ଝିଅ ଅନ୍ୟତ୍ର ବିବାହ କଲେ, ତାଙ୍କ ଠାରୁ ଜନ୍ମିତ ପିଲାଙ୍କ ଆଙ୍ଗୁଠି ବି ଏହିଭଳି ?