ଶ୍ରୀନଗର:ପୁଣି ଘାଟିରେ କାଶ୍ମୀର ପଣ୍ଡିତଙ୍କ ପଳାୟନ ଘଟଣା ସାମ୍ନାକୁ ଆସିଛି । କାଶ୍ମୀର ପଣ୍ଡିତ ପୁରନ କ୍ରିଷ୍ଣନ ଭଟ୍ଟଙ୍କୁ ଆତଙ୍କବାଦୀ ହତ୍ୟା କରିବା ପରେ ପୁଣି ଥରେ ଘାଟିରେ କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ନେଇ ପ୍ରଶ୍ନ ଛିଡା ହୋଇଛି । ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ପ୍ରାୟ 15 କାଶ୍ମୀର ପରିବାର ସେମାନଙ୍କ ଭିଟା ମାଟି ଛାଡି ଅନ୍ୟତ୍ର ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି (Kashmiri Pandit families leave Kashmir)।
ମୃତ କାଶ୍ମୀର ପଣ୍ଡିତ ପୂରାଣ କ୍ରିଷ୍ଣନ ଭଟ୍ଟଙ୍କ ସମ୍ପର୍କୀୟ ଭାଇ ଟି.କେ ଭଟ୍ଟ ଇଟିଭି ଭାରତ ସହ ସାକ୍ଷାତକାରରେ କହିଛନ୍ତି, ଭଟ୍ଟଙ୍କ ହତ୍ୟା ପରେ ଭୟରେ ପ୍ରାୟ 15 କାଶ୍ମୀର ପରିବାର ଘାଟି ଛାଡି ସାରିଛନ୍ତି । 15 ଅକ୍ଟୋବରରେ ସୋପିଆନ ଜିଲ୍ଲାରେ ନିଜ ଘର ସାମ୍ନାରେ କାଶ୍ମୀର ପଣ୍ଡିତ ଭଟ୍ଟଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କୀ । ଘାଟିରେ ଟାର୍ଗେଟ କିଲିଂ ଓ କାଶ୍ମୀର ପଣ୍ଡିତମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ପଣ୍ଡିତ ସମ୍ପ୍ରଦାୟ ରାସ୍ତାକୁ ଓହ୍ଲାଇବା ସହ ସେମାନଙ୍କ ସୁରକ୍ଷା ନେଇ ଆନ୍ଦୋଳନ କରିଥିଲେ ।
90 ଦଶକରେ ଘାଟିରେ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦୀ ଆନ୍ଦୋଳ ଚରମ ସୀମାରେ ପହଞ୍ଚିଥିଲା । ଏହି ସମୟରେ କାଶ୍ମୀରରେ ଥିବା ପଣ୍ଡିତ ପରିବାର ଧର୍ମୀୟ ଉତ୍ପୀଡନ ଓ ଗଣହତ୍ୟାର ଶିକାର ହୋଇଥିଲେ । ହଜାର ହଜାର କାଶ୍ମୀର ପଣ୍ଡିତ ପରିବାର ପ୍ରାଣ ଭୟରେ ରାତାରାତି ଘାଟି ଛାଡିବାକୁ ବାଧ୍ୟ ହୋଇଥିଲେ । ଅନେକ ହତ୍ୟା ଓ ଦୁଷ୍କର୍ମ ପରି ବର୍ବରତାର ଶିକାର ମଧ୍ୟ ହୋଇଥିଲେ । ଏବେ ସୁଦ୍ଧା ମଧ୍ୟ ସେମାନେ ଘାଟିକୁ ଫେରିବାକୁ ସକ୍ଷମ ହୋଇନାହାନ୍ତି ।