ନୂଆଦିଲ୍ଲୀ: ଆଫଗାନିସ୍ତାନ କାବୁଲ ବିମାନ ବନ୍ଦରରେ ହୋଇଥିବା ବିସ୍ଫୋରଣ ଏବେ ସାରା ବିଶ୍ବରେ ହଇଚଇ ସୃଷ୍ଟି କରିଛି । ରକ୍ତରେ ଭିଜୁଛି କାବୁଲ ମାଟି । ଏହାରି ମଧ୍ୟରେ ଆସିଛି ଏକ ବଡ଼ ଖବର । ଏହି ବିସ୍ଫୋରଣରେ କେରଳ ଓ ପାକିସ୍ତାନ ଲିଙ୍କ ରହିଥିବା ସୂଚନା ମିଳିଛି । ବିସ୍ଫୋରଣ ଘଟାଇଥିବା ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ ଅଫ ଖୁରାସନ ପ୍ରୋଭିନ୍ସ(ISKP)ରେ କେରଳରୁ ୧୪ ଜଣ ସାମିଲ ଅଛନ୍ତି । ଏହା ବ୍ୟତୀତ ତୁର୍କମେନିସ୍ତାନର ଦୂତାବାସ ଉପରେ ଆକ୍ରମଣ ଅଭିଯୋଗରେ ୨ ପାକିସ୍ତାନୀଙ୍କୁ ମଧ୍ୟ ହେପାଜତକୁ ନିଆଯାଇଛି ।
ବିସ୍ଫୋରଣରେ କେରଳ ବାସିନ୍ଦାଙ୍କୁ ସାମିଲ କରିବା ପାଇଁ ତାଲିବାନମାନେ ଆଫଗାନିସ୍ତାନରେ ଥିବା ବଗରମ ଜେଲରୁ ମୁକ୍ତ କରାଇଥିଲେ । ଏହି ୧୪ ଜଣ କେରଳର ମୂଳ ବାସିନ୍ଦା ହୋଇଥିବା ବେଳେ ସେମାନେ ISKPରେ ସାମିଲ ହୋଇଥିଲେ । ଏମାନଙ୍କ ମଧ୍ୟରୁ ଜଣେ କିଛି ଦିନ ପୂର୍ବରୁ ନିଜ ପରିବାର ସହିତ କଥା ହୋଇଥିଲା । ମାତ୍ର ଅନ୍ୟ ୧୩ ଜଣଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ତେବେ ସୂଚନା ଥାଉ କି ୨୦୧୪ ମସିହାରେ ଇରାକର ମୋସୁଲ ଠାରେ ଆତଙ୍କୀ ସଙ୍ଗଠନ ଇସଲାମିକ ଷ୍ଟେଟ ଆକ୍ରମଣ କରି କବଜା କରିବା ପରେ କେରଳରେ ମଲ୍ଲପୁରମ, କାସରଗୋଡ଼ ଓ କନ୍ନୁର ଜିଲ୍ଲାର ଏକ ଗୋଷ୍ଠୀ ଏହି ଆତଙ୍କୀମାନଙ୍କ ସହିତ ସାମିଲ ହେବା ପାଇଁ ଭାରତ ଛାଡ଼ିଥିଲେ । ଏମାନଙ୍କ ମଧ୍ୟରୁ କିଛି ପରିବାର ଆଫଗାନିସ୍ତାନର ନଙ୍ଗରହାରଠାରେ ରହିଥିଲେ ।