ନୂଆଦିଲ୍ଲୀ: ଆସନ୍ତାକାଲି (ରବିବାର) ଭାରତ ଚୀନ ମଧ୍ୟରେ କମାଣ୍ଡସ୍ତରୀୟ 13 ତମ ରାଉଣ୍ଡ କଥାବାର୍ତ୍ତା । ଉଭୟ ପକ୍ଷ ମଧ୍ୟରେ ଆସନ୍ତାକାଲି ପୂର୍ବାହ୍ନ 10:30ରେ ପ୍ରକୃତ ନିୟନ୍ତ୍ରଣ ରେଖା (LAC)ର ମୋଲଡୋରେ ଏହି ଆଲୋଚନା ହେବାକୁ ଯାଉଛି । ଏହି ଆଲୋଚନାରେ ଉଭୟ ସେନାର କିଛି ବରିଷ୍ଠ ସେନାଧିକାରୀ ଅଂଶ ଗ୍ରହଣ କରିବେ । ଭାରତ-ଚୀନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ଓ LAC ଉତ୍ତେଜନା ହ୍ରାସ କରିବା ଉପରେ ବୈଠକରେ ଆଲୋଚନା କରାଯିବ ।
ଉଭୟ ସେନା ମଧ୍ୟରେ ସଂଘର୍ଷ କମ କରିବା ସହ ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ଏକାଧିକ ଦିଗ ଉପରେ ଆଲଚନା ହେବ । ତେବେ ଗତ ଦୁଇଦିନ ତଳେ ଚୀନ ସେନା ସୀମା ଅତିକ୍ରମ କରିଥିବା ମଧ୍ୟ ଅଭିଯୋଗ ହୋଇଥିବାବେଳେ ଭାରତ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା । ଗଲଓ୍ବାନ ଘାଟିରେ ଉଭୟ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଉଭୟ ପକ୍ଷ ସେମାନଙ୍କ ସାମରିକ ଗତିବିଧିକୁ ବଢାଇବାରେ ଲାଗିଛନ୍ତି । ଫଳରେ କୌଣସି ସମୟରେ ମଧ୍ୟ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି ।